ଏଇତ ଜୀବନ
ଏଇତ ଜୀବନ


ଜନ୍ମ ମରଣର ପରିଧି ଭିତରେ
ବନ୍ଧା ଏ ସୁକ୍ଷ୍ମ ଜୀବନ,
ସୁଖଦୁଃଖ ଆଉ ହସଲୁହ ଭରା
ବିତେ ପ୍ରତିଟି ସୋପାନ ।
କାହା ଜୀବନରେ ସୁଖର ଫୁଆର
କାହା ଜୀବନେ ବିଲୀନ,
କିଏ ଖାଏ ଏଠି ଛପନ ପଉଠି
କାହାକୁ ନମିଳେ ଅନ୍ନ ।
ତଥାପି ସଂଘର୍ଷ କରୁଛି ମଣିଷ
ପ୍ରତି ମୁହୂର୍ତ୍ତରେ ଏଠି,
କଷଟି ପଥରେ ଝଡ଼ଝଞ୍ଜା ସହି
ନିଏ ସବୁକୁ ସାଉଁଟି ।
ସମୟର ସାଥେ ତାଳଦେଇ ଚାଲେ
ରହେ ଭାଗ୍ୟକୁ ଆଦରି,
ପ୍ରାରବ୍ଧ କର୍ମର କର୍ମଫଳ ଭୋଗେ
ବଂଚିବାକୁ ବ୍ରତୀକରି ।
ଶରୀର ଜୀବିତ ଥିବାଯାଏଁ ସିନା
ବଞ୍ଚିବାର ରାହା ଖୋଜେ,
ତତଲା ଲୁହରେ ନୟନ ଭିଜାଇ
ଦୁଃଖ ଦରିଆରେ ଭିଜେ ।
କ୍ଷଣିକ ଜୀବନ ସ୍ୱପ୍ନ ପରିପୂର୍ଣ୍ଣ
ଆଶା ଅସୁମାରୀ ନେଇ,
କଣ୍ଟକିତ ପଥେ ଚାଲିବାକୁ ପଡେ
ସାହାରା ଟିକିଏ ପାଇଁ ।
ଲୋକ ଦେଖାଣିଆ ହସେ କିଏ ଏଠି
ଆଖିଲୁହ ଓଠେ ପିଇ,
ଯାତନା ନସହି ନିଜକୁ କେ ମାରେ
ଜୀବନ ନପାରେ ଜୀଇଁ ।
ଏଇତ ଜୀବନ ସୁଖ ଦୁଃଖପୂର୍ଣ୍ଣ
ଛାଇ ଆଲୁଅର ଖେଳ,
ସବୁକୁ ଆଦରି ବାଟ ଯେ ଚାଲିଲା
ବଞ୍ଚିରହେ ଚିରକାଳ