ଏଇ ରାଗିଗଲ କି
ଏଇ ରାଗିଗଲ କି
ପତି ପ୍ରାଣଧନ ମୋ ଜୀବ-ଜୀବନ
ଚରଣରେ ସଦା ମତି
ହାତେ ଶଙ୍ଖା ଦେଇ ସିନ୍ଦୂର ପିନ୍ଧାଇ
ସାତ ଜନମର ସାଥୀ
ତାଙ୍କ ସହିତ ନିତି
ସୁଖରେ ଦୁଃଖରେ ହସ ବା ଲୁହରେ
ଯାଏ ମୋର ଦିନ ବିତି
ଯେଣୁ ତାଙ୍କଠି ରଚିଛି ପ୍ରୀତି ।
ଜୀବନ ଯମୁନା ତୋଳଇ ମୂର୍ଚ୍ଛନା
ଥାପି ତାଙ୍କ ପାଦେ ପାଦ
ସମ୍ପର୍କ ମଧୁରେ ଅବଗାହନରେ
କେବେ ବି ଜାଗେ ବିଷାଦ
ଘାରି ହୁଅଇ ମନ
ମଣଇ ତଥାପି କୋଟିନଧି ସମ
କରମରେ ରଖି ଧ୍ୟାନ
ଯେଣୁ ଦୃଢ଼ ଆମରି ବନ୍ଧନ ।
ମାନ ଅଭିମାନ ପରା ମୂଳଧନ
ସୁଧଟି ପ୍ରୀତି ପାଉଣା
ଭରେ କେତେ ଭାଗ ସ୍ନେହ ଅନୁରାଗ
ନଥାଏ ତା’ର ଠିକଣା
ଜୀବନଟା ଏମିତି
ମାତ୍ର ଅନ୍ତରର ପରିଧି ପ୍ରେମର
ଥାଏ ଅଖଣ୍ଡ ସେମିତି
ଯେଣୁ ଏକ ଦୁହିଁଙ୍କର ମତି ।
କଥାବାର୍ତ୍ତା ବେଳେ ତେଢାମେଢା ହେଲେ
ଦୁହେଁ ରାଗ କୋଳାଗ୍ରତ
ତାଙ୍କ ମନୋଭାବ ଯେବେ ଅନୁଭବ
ଦେଖି ମୁଁ ଦୁଃଖ ମିଶ୍ରିତ
ଏଇ ରାଗିଗଲ କି ?
ପ୍ରଶ୍ନ ପରେ ପ୍ରଶ୍ନ ପଚାରି ତୋଷଇ
ପୀରତି ଚୁମ୍ବନ ମାଖି
ଯେଣୁ ପ୍ରେମ ପରିଭାଷା ସାକ୍ଷୀ ।

