ଏହି ସେ ଶ୍ରାବଣ
ଏହି ସେ ଶ୍ରାବଣ
ବିରାଗ ରସରେ ଅତି ଅବଶରେ
ନିତି ତ ସାଥୀକୁ ଝୁରେ
ନିବିଡ ନିଶାରେ ଅଜଣା ଦିଶାରେ
ବାହାରିଲି ବୁଲି ପୁରେ ।
ବିଷ ତୁଲ୍ୟ ମଣି ସମାଜ ଚଳଣି
ନିଶୀଥରେ ଏକା ଏକା
ହେଲି ନିଶାଚର ଭୂତ ପିଶାଚର
ନମିଳିଲା କାହିଁ ଦେଖା ।
ବିରହେ ମୁଁ ବାଇ ନଦୀ ପାଶେ ଯାଇ
ଦେଖିଲି ଉଜାଣି ସୁଅ
ଭାବୁଥିଲି ସାହା ବିନୁ ନାହିଁ ରାହା
ତ୍ୟାଗୀ ପଛେ ଯେତେ ହୁଅ ।
ଶ୍ରାବଣର ପାଣି ମୋ ଆଖିରୁ ଜାଣି
ଧୋଉଥିଲା ସିନା ଲୁହ
ବିରହରେ ଯେବେ ଉବୁଟୁବୁ ତେବେ
କା' ଆଗେ କହନ୍ତି କୁହ ।
ନଥିଲା ଭରସା ଅସରା ବରଷା
ଗରଜେ ତ ସାଇଁ ସାଇଁ
ମାଡୁଥିଲା ଜଳ କୂଳକୁ ପ୍ରବଳ
ମାଟିରୁ ଅତଡା ଖାଇ ।
ପ୍ରେମେ ଇଚ୍ଛି ଜୟ ଛାଡି ପ୍ରାଣଭୟ
ଲମ୍ଫ ଦେଲି କେଉଁ ଆଶେ
ଭାସିଗଲି ଜଳେ ସେହି ସ୍ରୋତ ବଳେ
ତଥାପି ନଥିଲି ପ୍ରାସେ ।
ଥିଲା ମୋ ସ୍ମରଣ ଛାତିର ସ୍ପନ୍ଦନ
ଭଉଁରୀରେ ଯେବେ ଫଶେ
ଜୀଇଁ କ୍ଷୀଣଶ୍ବାସେ ଊର୍ଦ୍ଧ୍ବେ ଆସି ଭାସେ
ସତେ କି କାହାର ବଶେ ।
ବହି ନିଜ ଭାର ନଦୀ ହେଲି ପାର
ଛୁଇଁଲି ନିକଟେ ପଠା
ଏହି ସେ ଶ୍ରାବଣ ଥିଲା କି ରାବଣ
କରୁଥିଲା ମୋତେ ଥଟ୍ଟା ।
କହୁଥିଲା ଧିକ କେମନ୍ତ ରସିକ
ପାରିବୁ କି ଆଉ ଜିତି
କିଏ ଅବା ବାଳୀ ଅଙ୍ଗମାନ ଚାଳି
କରିବ ରେ ତୋତେ ପ୍ରୀତି ?
ଫେରି ନିଜ ଦ୍ବାରେ ଭାଲେ କର ମାରେ
ବାରମ୍ବାର ଆସେ ହାଇ
ଆକୁଳ ମୋ ହିୟା ଚାହୁଁଥାଏ ପ୍ରିୟା
ଆସନ୍ତା କି ପାଶେ ଧାଇଁ ।
ମଣିହରା ଫଣୀ ନିସ୍ତେଜ ମୁଁ ମଣି
ନିଜକୁ ଦେଲେ ବି ଜାଳି
ସହିବାକୁ ଆଉ ବାକି କେତେ ଦାଉ
ମରଣ ନହେଲା ଭାଳି ।
ନବବଧୂ ବେଶେ ଆସିବ କି ଶେଷେ
ଆନ ସାଥେ ହୋଇ ବିଭା
ଆଶ୍ଵାସି ସଧୀରେ ଫେରିଲେ ଅଧୀରେ
ମରି ଜୀଉଁଥିବି କିବା !
ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩
ସେକ୍ଟର - ୪
ରାଉରକେଲା - ୭୬୯୦୦୨