ଏ କି ଭଲ ବିଚାର
ଏ କି ଭଲ ବିଚାର
ମଥାରୁ କଳସୀ ଗଡ଼ିଯିବ କାହ୍ନା
ଅଞ୍ଚଳକୁ ମୋର ଛାଡ଼ ,
ଜାଣିଶୁଣି ଆଉ ଜଞ୍ଜାଳ କରନା
ଅଭାବ ହେଲାଣି ମାଡ଼।
ଟିକେ ଭାଇଠୁ ଶିଖ,
ବଡ଼-ଭଦ୍ର ସେ କହନ୍ତି ଲୋକ
ଟିକେ ଭାଇଠୁ ଶିଖ ।
କେଡ଼େ ଶାନ୍ତଶିଷ୍ଟ ଗୁଣବାନ ସିଏ
ନାହିଁ ଜମା ଟିକେ ଖୁଣ ,
ବାଟରେ ଘାଟରେ ହଇରାଣ କରି
ଦେଖାନ୍ତିନି ମୁହଁ ଟାଣ ।
ସେ ତ ଗୁଣ ସାଗର,
ତୁମେ ଅଟ ନାଟୁଆ ନାଗର
ସେ ତ ଗୁଣ ସାଗର ।
ତୁମ ପ୍ରତି ଟିକେ ଶରଧା କଲାରୁ
ଦେଖାଉଛ ଏତେ ଛଇ ,
ଜାଣି ଜାଣି ନିଜ ମହତ ସାରୁଛ
ରାଜାଘର ପୁଅ ହୋଇ ।
ଏ କି ଭଲ ବିଚାର,
ଥରେ ବିବେକକୁ ତ ପଚାର
ଏ କି ଭଲ ବିଚାର !!

