ଏ ଚଗଲା ବୁଦ୍ଧି କମା
ଏ ଚଗଲା ବୁଦ୍ଧି କମା
ଯଶୋଦା ଲୋ,ଏଣେ ଦହି ମଂଥୁଅଛୁ
ତେଣେ ଦାଣ୍ଡେ ତୋର ପୁଅ ,
ମେଞ୍ଚା ମେଞ୍ଚା ମାଟି ଖାଇ ଚାଲିଅଛି
ମାନୁନି କହିଲେ ଥୁଅ ।
ଅନ୍ୟ ପିଲାଙ୍କୁ ବି ଖୋଉଛି ଶିଖାଇ ,
ଯେମିତି ଲହୁଣୀ ହୋଇଛି ମଖାଇ ।
ମାଟି ନୁହେଁ,ତାକୁ ମାଆ, ମାଆ କହି
ଲେପୁଅଛି ସାରା ଦିହ ;
ମନାକଲେ ଯେତେ ବାହାନା କାଢୁଛି
କଥାରୁ ଧରୁଛି ଖିଅ ।
ଏଡ଼େ ସାନଛୁଆ ମଣିବୁନି ତାକୁ ,
ବୁଢାଠାରୁ ବଳି କହୁଛି କଥାକୁ ।
ଆଖି-ଠାରି ଦିଏ ହଲାଇ ମଥାକୁ
ବୁଝି ବି ଅବୁଝା ଲାଗେ ;
ତଥାପି ଅନ୍ତରେ ତାଆରି ପାଇଁକି
ଶରଧାଟି ସଦା ଜାଗେ ।
ଝପଟି ଆ' ତାକୁ ଆକଟ କରିବୁ ,
ପଛରେ ନ ହେଲେ ମୋ ଦୋଷ ଧରିବୁ ।
ମିଛ କହୁଥିଲା ବୋଲି ଗାଳି ଦେବୁ
ସହି ପାରିବିନି ଜମା ;
ଆକଟ କରିକି ଆଜିଠାରୁ ତାକୁ
ଏ ଚଗଲା ବୁଦ୍ଧି କମା ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।