ଦୟା ନଦୀ କୂଳ
ଦୟା ନଦୀ କୂଳ
ଦୟାନଦୀ କୂଳ ରକ୍ତରେ ରଞ୍ଜିତ
ଯୁଦ୍ଧକ୍ଷେତ୍ର ହିଂସା ଦ୍ୱେଷ
ଅହଂକାରୀ ସେଇ ମଗଧ ସମ୍ରାଟ
ବିଜୟ ରେ ହୋଇ ତୋଷ।
ତରବାରୀ ଜୟ ଜୟ କାର କରି
ଧଉଳିରେ ଦେଇ ଗ୍ଲାନି
ଲକ୍ଷ ଲକ୍ଷ ସୈନ୍ୟ ଜୀବନ ହାରିଲେ
ଯନ୍ତ୍ରଣା ସିକ୍ତ ମେଦିନୀ।
ଉଭା ହୋଇ ଆଗେ ଏକଇ ଶ୍ରମଣ
ନାମ ତାଙ୍କ ଉପଗତ
ପଚାରିଲେ ତାଙ୍କୁ ଜୀବନ ନେଇଛ
ଫେରାଇ ପାରିବ ସତ।
ଆଜି ଅବା କାଲି ଶତ ଶତ ବୀର
କଳିଙ୍ଗ କରି ପୂରଣ
କେତେଯେ ମଗଧ କେତେ ତ ଅଶୋକ
ମାଟିରେ ମିଶିବେ ଜାଣ।
ହୃଦୟର ଜୟ ପ୍ରକୃତ ବିଜୟ
ନୁହେଁ ତରବାରୀ ଜୟ
ଗୁଞ୍ଜରିତ ହେଲା ଚଣ୍ଡାଶୋକ କର୍ଣ୍ଣେ
ହୃଦେ ହେଲେ ପରାଜୟ।
ଏହି ପୁଣ୍ୟ ଭୂମି ଉତ୍କଳ ମାଟିରେ
ତରବାରୀ ପରାହତ
ବୁଦ୍ଧ ଙ୍କ ଶରଣ ସଂଘର ଶରଣେ
ଅଶୋକ ହେଲେ ମହତ।
ପୁଣ୍ୟ ଉତ୍କଳର ଜଣେହିଁ ଦେବତା
ଦାରୁବ୍ରହ୍ମ ଜଗନ୍ନାଥ
ଅଶୋକଙ୍କ ସବୁ ଗର୍ବ ହେଲା ଚୁର
ବୁଦ୍ଧ ଅବତାର ପଥ।
