ଦୁର୍ଲ୍ଲଭ ପରିବା
ଦୁର୍ଲ୍ଲଭ ପରିବା
ଆଜି ହାଟ ବାରି ଭିଡ଼ ଅଛି ଭାରି
ସଉଦା କରିବା ପାଇଁ
ବାହାରିଗଲି ମୁଁ ବ୍ୟାଗ୍ଟିଏ ଧରି
ପାଖେ କିନ୍ତୁ ଟଙ୍କା ନାହିଁ।
ଜାଣିଛି ମୁଁ ଯେଉଁ ପରିବା କିଣିବି
ତା' ପାଇଁ ଟଙ୍କା ଲାଗେନି
କିନ୍ତୁ ସେ ଦୁର୍ଲ୍ଲଭ ପରିବାଟି କେଉଁ
ହାଟରେ ଖୋଜି ପାଉନି।
ଶେଷରେ ଆସି ମୁଁ ପହଞ୍ଚିଛି ଏଠି
ଜୀବନ ହାଟ ତା'ନାଁ
ସ୍ଵାର୍ଥ ବଦଳରେ ଲୋଭ ମୋହ ଏଠି
କିଣାବିକା ହୁଏ ଯାହା।
ମଣିଷ ରୂପରେ ସ୍ୱାର୍ଥ ଗୁଡାଙ୍କର
ଭିଡ଼ ଯହିଁ ଲାଗିଅଛି
ଏହାରି ଭିତରେ ମୋ ପରିବାଟି
ଖୋଜିଲେ କାହୁଁ ମିଳୁଛି?
ହଠାତ୍ ଦେଖିଲି ଦୁଇଜଣ ବ୍ୟକ୍ତି
ଔଷଧ ବ୍ୟାଣ୍ଡେଜ ନେଇ
ମଝିହାଟେ ପଡ଼ିଥିବା ଷଣ୍ଢଟିର
ସେବା କରୁଥିଲେ ସେହି।
ନା ଥିଲା ସ୍ୱାର୍ଥ ନା ମିଳିବ ଅର୍ଥ
ଥିଲା ଜୀବେ ଦୟା ଧର୍ମ
ଏହି ଦୃଶ୍ୟ ଦେଖି ଆନନ୍ଦିତ ହେଲି
ପୁରିଲା ମୋ ମନୋସ୍କାମ।
ଯେଉଁ ପରିବାଟି ଜୀବନ ହାଟରେ
ବୁଲିବୁଲି ଖୋଜୁଥିଲି
ଆଜି ସେ ପରିବା ପାଇଲି ଏଠାରେ
ତେଣୁ ମୁହିଁ ଧନ୍ୟ ହେଲି।
ମଣିଷ ପଣିଆ ସେଇ ପରିବାଟି
ଦୟା ତାର ଚୋପା ପରି
ପ୍ରେମର ସବୁଜ ରଙ୍ଗ ସେ ପରିବା
ସ୍ନେହ ମଞ୍ଜି ଅଛି ଭରି।
ସେ ପରିବା ମଧ୍ୟେ ଭାବ ଜ୍ଞାନ ଆଉ
ଶ୍ରଦ୍ଧାର ପ୍ରୋଟିନ ଅଛି
ସେ ବ୍ୟକ୍ତି ପାଇଛି ଯିଏ ସବୁଦିନେ
ରୋଷେଇ କରି ଖାଉଛି।
ସମ୍ପର୍କର କ୍ଷେତେ ସେ ପରିବା ଫଳେ
ମଣିଷ କରେ ତା' ଚାଷ
ପାଷାଣ୍ଡ ଜନକୁ ସେହି ପରିବାଟି
କେବେ ହୁଏ ନାହିଁ ଦୃଶ୍ୟ।
ଦୁର୍ଲ୍ଲଭ ପରିବା ସେ ମାନବିକତା
ଜୀବନ ହାଟରେ ମିଳେ
ଅନ୍ୟ ହାଟ ମଧ୍ୟେ ସ୍ଵାର୍ଥଙ୍କର ଭିଡ
ଲୋଭର ବେପାର ଚାଲେ।
ସେବା ଦୟା ପର ଉପକାରଟିଏ
ଟଙ୍କା ଦେଲେ ମିଳେ ନାହିଁ
ଜୀବନ ଯଦିବା ହାଟରେ ମିଳନ୍ତା
ଧନୀଟି ମରନ୍ତା ନାହିଁ।
ତେଣୁ ଭାଇ ଏଠି ସବୁ ମିଳିପାରେ
ଅର୍ଥ କିମ୍ବା ବାହୁବଳେ
ମଣିଷ ପଣିଆ ଯେତେ ଟଙ୍କା ଦେଲେ
କେବେ କ'ଣ ମିଳିପାରେ?
ମାସକ ମଧ୍ୟରୁ ଅଣ୍ତିରିଶ ଦିନ
ଯିଏ ସେବା କରିଥିଲା
ଯଦି ଗୋଟେ ଦିନ କୌଣସି କାରଣୁ
ସେବା କରି ନ ପାରିଲା।
ସାଙ୍ଗେ ସାଙ୍ଗେ ତାକୁ ପୁରସ୍କାର ମିଳେ
ସିଏ କିଛି କରିନାହିଁ
ମଣିଷ ସ୍ଵଭାବ ଏହିଠାରେ ଭାଇ
ଚୁଲିରେ ପଶିଲା ଯାଇ।
ଯଦି ମଣିଷଟି ସେବାକାରୀଟିର
ବୁଝି ଥାଏ ମନଭାବ
ତେବେ ଯାଇ ସେଠି ମଣିଷ ପଣିଆ
ହୋଇଥାଏ ଯେ ଉଦ୍ଭବ।
ଛୋଟଛୋଟ କଥା ଦିଏ ମନେ ଶିକ୍ଷା
ଆମକୁ ମଣିଷ କରେ
ବଡ଼ କାମ ପର ଉପକାର ପାଇଁ
ମଣିଷ ଜନ୍ମ ସଂସାରେ।
