ଦୁର୍ଗତିନାଶିନୀ ଦୁର୍ଗା
ଦୁର୍ଗତିନାଶିନୀ ଦୁର୍ଗା
ଦୁର୍ଗତିନାଶିନୀ କୁଳକୁଣ୍ଡଳିନୀ
ଆଦ୍ୟାଶକ୍ତି ଦଶଭୂଜା,
ମହିଷାମର୍ଦ୍ଦିନୀ ଦେବୀ କାତ୍ୟାୟନୀ
ଘେନ ଆମ ଭକ୍ତି ପୂଜା ।
ବିନ୍ଧ୍ୟ ନିବାସିନୀ ତ୍ରିଶୂଳ ଧାରିଣୀ
ହୃଦେ ଆସ ଅବତରି,
ଦାନବଘାତିନୀ ଅଭୟ ଦାୟିନୀ
ଚରଣେ କରୁ ଗୁହାରୀ ।
ନିଶୁମ୍ଭହନନୀ ଭାବିନୀ ଭବାନୀ
ଦୋଷାଦୋଷ କର କ୍ଷମା,
ମୂଢ ଭକ୍ତ ମନ ଦିଅ ଦିବ୍ୟ ଜ୍ଞାନ
ଦକ୍ଷକନ୍ୟା ସତୀ ଉମା ।
ଅଭାବ ମୋଚନୀ ଜଗତ ଜନନୀ
ରକ୍ଷା କର ରକ୍ଷା କର,
ଦିଅ ଗୋ ଆଶିଷ ରହୁ ତୁମ ଯଶ
ମହାମାରୀ ହେଉ ଦୂର ।
କେଶରୀ ବାହିନୀ ମାତା ନାରାୟଣୀ
ଜଗଦମ୍ବା ମାହେଶ୍ୱରୀ,
ଏ ସଙ୍କଟ ବେଳେ ତୁମେ ନ ଚାହିଁଲେ
କେ ହେବ ସାହା ଆମରି ?
ଯୁଗେ ଯୁଗେ ଦେବୀ ଭକ୍ତ ଅନୁଭବୀ
ଦେଖିଛି ମହିମା ତୁମ,
ବଇରୀର ଆଗ ଦେଖାଇ ଦିଅ ଗୋ
ପୁଣି ତୁମ ପରାକ୍ରମ ।
ଛାର ଅଣୁ ହେଇ କେତେ ତାର ଛଇ
ଖେଳୁଛି ଭକତ ସହ,
କନ୍ଦେଇ ଜୀବନ ନେଉଛି ପରାଣ
କେମିତି ବଞ୍ଚିବୁ କହ ।
ଉତ୍କଣ୍ଠିତ ମନେ ସର୍ବ ଭକ୍ତ ଜନେ
ଅପେକ୍ଷାରେ ରାତିଦିନ,
ଜଗତ ଈଶ୍ୱରୀ ମାୟା ମହୋଦରୀ
ଆସି ରଖ ଭକ୍ତ ମାନ ।