ଦୁର୍ଗତି ନାଶିନୀ
ଦୁର୍ଗତି ନାଶିନୀ


ଦୁର୍ଗତି ନାଶିନୀ ମାତ ସଂଙ୍କଟ ହାରିଣୀ
ବିପଦ ଭଞ୍ଜନୀ ମାଗୋ ତ୍ରିଶୂଳ ଧାରିଣୀ
ମାଗୋ ଶିବଙ୍କ ଘରଣୀ
ତୋହରି ପଣତ ମାଗୋ ଆଶାର ବାରିଣୀ ।
ଶରତରେ କାଶତଣ୍ଡୀ ଫୁଲ ହସୁଅଛି
ତୋ ଆଗମନକୁ ଧରା ସ୍ୱାଗତ କରୁଛି
ମାଗୋ ତୁ ସିଂହ ବାହିନୀ
ଆସ ଅବତରୀ ମାଗୋ କରୁଛୁ ଦୟିନୀ ।
ଏ ଘୋର ସଂଙ୍କଟୁ ମାତ ତୁମ୍ଭେ ରକ୍ଷା କର
ତୁମ୍ଭର ପୟରେ ମାଗୋ ଶରଣ ଆମ୍ଭର
ମାଗୋ ଦୁର୍ଗତି ନାଶିନୀ
ଦୋଷ କ୍ଷମାକରି ରକ୍ଷା କର କ୍ୟାତ୍ୟାୟିନୀ ।
ମହିଷାସୁର ଦର୍ପରେ ଦେବେ ଥରହର
ଶରଣ ପଶିଲେ ମାଗୋ ତୋହରି ପୟର
ଦେଲୁ ଆଶ୍ବାସନା ବାଣୀ
ନାଶିବି ଦୈତ୍ୟ ଉଶ୍ବାସ କରିବି ଧରଣୀ ।
ଦେବ କ୍ରୋଧ ଅଗ୍ନିରୁ ମା ସମ୍ଭୁତା ହୋଇଲୁ
ଦେବଙ୍କର ଅସ୍ତ୍ର ଶସ୍ତ୍ର ହସ୍ତରେ ଘେନିଲୁ
ମାଗୋ ଦୁର୍ଗତି ନାଶିନୀ
ବିନ୍ଧ୍ୟାଞ୍ଚଳେ ଚଳିଗଲୁ ମା ସିଂହ ବାହିନୀ ।
ମୋହିନୀ ରୂପରେ ଶୁମ୍ଭ ନିଶୁମ୍ଭ ମୋହିଲୁ
ଛଳନା ନୃତ୍ୟରେ ତାଙ୍କୁ ବଶବର୍ତ୍ତୀ କଲୁ
ମାଗୋ ତ୍ରିପୁର ମୋହିନୀ
ତୋ ପାଇଁ ପାଗଳ ହେଲେ ସେଇ ଦୈତ୍ୟ ବେନି ।
କଟାକ୍ଷ ହସରେ ବୋଲୁ ମଧୁର ଭାଷିଣୀ
ନୃତ୍ୟରେ ଜିତିବ ଯିଏ ହେବି ତା ଘରଣୀ
ଶୁଣି ସେହି ଦୈତ୍ୟ ବେନି
ନୃତ୍ୟ ଆରମ୍ଭିଲେ ମାଗୋ ତୋର ତାଳ ଘେନି ।
ନୃତ୍ୟେ ନିଜ ମସ୍ତକରେ ଦେଲୁ ତୁହି ହସ୍ତ
ଦେଖି ଦୈତ୍ୟ ଦେଲେ ଯେବେ ହେଲେ ଭସ୍ମୀଭୂତ
ମାଗୋ ଦୁର୍ଗତି ନାଶିନୀ
ଛଳନାରେ ନାଶ କଲୁ ତୁହି ଦୈତ୍ୟ ବେନି ।
ଶୁମ୍ଭ ନିଶୁମ୍ଭ ବିନାଶ ଶୁଣିଣ ଦଇତ
ହସ୍ତେ ଖଡ୍ଗ ଧରି କ୍ରୋଧେ ହେଲା ଜର୍ଜରିତ
ଦେଖିବାକୁ ସେ ମୋହିନୀ
ବିନ୍ଧ୍ଯ ଗିରିକୁ ଆସିଲା ଦୈତ୍ୟ ନୃପମଣି ।
କୋପଭରେ ଘୋର ରଣ କରିଲା ଦଇତ
ସ୍ବର୍ଗ ମର୍ତ୍ତ୍ୟ ପାତାଳ ଯେ ହେଲା ପ୍ରକମ୍ପିତ
ମାଗୋ ଦୁର୍ଗତି ନାଶିନୀ
ଘୋର ରଡି କରେ ସେହି ଦୈତ୍ୟ ନୃପମଣି ।
ମହିଷ ପିଠିରେ ଚଢି ସେ ମହିଷାସୁର
ତୋର ସଙ୍ଗେ ରଣ କରେ ସିଏ ଘୋର ତର
ଯୁଦ୍ଧେ ହେଲୁ ଆସକତ
ନ ମରେ ମହିଷାସୁର ଦେବତା ଚିନ୍ତିତ ।
ଆକାଶ ମାର୍ଗରୁ ହେଲା ମାଗୋ ଶୂନ୍ୟବାଣୀ
ବିବସନା ହେଲେ ମରିବ ସେ ଦୈତ୍ୟମଣି
ମାଗୋ ତ୍ରିଶୂଳ ଧାରିଣୀ
ଏ ସଙ୍କଟୁ ରଖ ମାତ ମହିଷା ମର୍ଦ୍ଦିନୀ ।
ବକଟାଳ ରୂପ ଧରି ରାକ୍ଷାସ ଧାଇଁଲା
ବିବସନା ରୂପ ଦେଖି ତଟସ୍ଥ ହୋଇଲା
ମାଗୋ ତୁ ସିଂହ ବାହିନୀ
ତ୍ରିଶୂଳ ବକ୍ଷ ଭେଦିଲା ମଲା ଦୈତ୍ୟ ମଣି ।
ମହିଷାସୁର ବିନାଶେ ଦେବେ ଖୁସି ହେଲେ
ଆକାଶ ମାର୍ଗରେ ଥାଇ ପୁଷ୍ପ ବୃଷ୍ଟି କଲେ
ମାଗୋ ଦୁର୍ଗତି ନାଶିନୀ
ଧରା ଉଶ୍ବାସିଲୁ ମାଗୋ ଜଗତ ଜନନୀ ।
ପିତୃ ସତ୍ୟ ପାଳି ରାମ ଗଲେ ବନବାସ
ସୀତାଙ୍କୁ ହରଣ କଲା ପାପୀଷ୍ଠ ଲଙ୍କେଶ
ସୂର୍ପଣଖାର ବୋଲରେ
ରଖିଲା ରାବଣ ନେଇ ଅଶୋକ ବନରେ ।
ହନୁମାନଠୁ ବାରତା ଶ୍ରୀରାମ ପାଇଲେ
ସେତୁ ବନ୍ଧ ବାନ୍ଧି ଘୋର ସମର କରିଲେ
ମଲେ ତାର ପୁତ୍ର ନାତି
ଶେଷରେ ରହିଲା ଏକା ସେହି ଲଙ୍କପତି ।
କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ ହୋଇଲେ ନିହତ
ଯୁଦ୍ଧକୁ ରାବଣ ନିଜେ ହୋଇଲା ଆଗତ
କଲା ସିଏ ଘୋର ରଣ
ରାବଣ ରଥରେ ମାଗୋ ତୁ ବିରାଜମାନ ।
ତୋତେ ଦେଖି ରାମ କୋଦଣ୍ଡକୁ ତ୍ୟାଗ କଲେ
ଦୁର୍ଗା ଆବାହନ କର ଦେବେ ଜଣାଇଲେ
ରାମ ତୋ ପୂଜା କରିଲେ
ନବରାତ୍ରୀ ଭକ୍ତି ବିଶ୍ବାସରେ ସେ ପୂଜିଲେ ।
ଶହେ ଆଠ ନୀଳ ପଦ୍ମ ଅର୍ପଣ କରିଲେ
ଗୋଟିଏ ନିଅଣ୍ଟ ହେଲା ବିସ୍ମିତ ହୋଇଲେ
ମାଗୋ ଦୁର୍ଗତି ନାଶିନୀ
ଦୁଃଖେ ବ୍ୟକୁଳିତ ହେଲେ ପ୍ରଭୁ ରଘୁମଣୀ ।
ନ ହୁଅ କାତରେ ଆହେ ରାଜୀବଲୋଚନ
କହି ଦେଲେ ଯେବେ ତାଙ୍କୁ ବୀର ବିଭୀଷଣ
ପ୍ରଭୁ ଶର ଧରି ହସ୍ତ
ଉତ୍ପାଟନ ପାଇଁ ନେତ୍ର ହୋଇଲେ ଉଦ୍ୟତ ।
ତତକ୍ଷଣାତ୍ ଆବିର୍ଭାବ ହୋଇଲୁ ଜନନୀ
ନୀଳପଦ୍ମ ହସ୍ତେ ଦେଖି ପ୍ରଭୁ ରଘୁମଣୀ
କଲେ ଭକ୍ତି ପଣିପାତ
ଶରଣ ପଶିଲେ ରାମ ତୋର ପାଦଗତ ।
ରାମଙ୍କ ଭକ୍ତିରେ ମାତ ସନ୍ତୁଷ୍ଟ ହୋଇଲୁ
ରାବଣଙ୍କୁ ତ୍ୟାଗ କଲି ବଚନ ତୁ ଦେଲୁ
ଏବେ ବିନାଶ ରାବଣ
ଅଯୋଧ୍ୟାକୁ ଫେରି ଯାଅ ସୀତା ଉଦ୍ଧାରିଣ ।
ଅକାଳରେ ତୋର ପୂଜା କରିଲେ ଶ୍ରୀରାମ
ବାସନ୍ତୀକ ପୂଜା ବୋଲି ହେଲା ତାର ନାମ
ମାଗୋ ଦୁର୍ଗତି ନାଶିନୀ
ବିପଦେ ଉଦ୍ଧାର କରୁ ମହିଷା ମର୍ଦ୍ଦିନୀ ।
ସପ୍ତମୀରୁ ଘଟ ପୂଜା ଆରମ୍ଭ ତୋହର
ନଅ ଦିନ ନଅ ନାମେ ପୂଜନ୍ତି ପୟର
ସନ୍ଧି ପୂଜା ଅଷ୍ଟମୀରେ
ମହାକାଳୀ କାଳରାତ୍ରୀ ହେଉ ସେ ଦିନରେ ।
ପ୍ରଥମ ଦିବସେ ଶୈଳପୁତ୍ରୀ ରୂପୀ ମାତ
ଦ୍ୱିତୀୟେ ବ୍ରହ୍ମଚାରିଣୀ ରୂପରେ ଶୋଭିତ ।
ଚନ୍ଦ୍ରଘଣ୍ଟା ତୃତୀୟରେ
ଚତୁର୍ଥେ ତାରା ରୂପରେ ପୂଜନ୍ତି ଭକ୍ତିରେ ।
ପଞ୍ଚମେ ବଗଳାମୁଖୀ ବେଶ ହେଉ ମାତ
ଛିନ୍ନମସ୍ତା ରୂପେ ଷଷ୍ଠେ ହେଉ ମା ପୂଜିତ ।
ସପ୍ତମରେ ମହାଗୌରୀ
ଅଷ୍ଟମୀରେ ମହାକାଳୀ ରୂପ ଭୟଙ୍କରୀ ।
ନବମେ ବିନ୍ଧ୍ଯବାସିନୀ ରୂପ ମାଗୋ ହେଉ
ଦଶମରେ ବ୍ରହ୍ମପୁତ୍ରୀ ରୂପେ ପୂଜା ପାଉ ।
ମାଗୋ ଦୁର୍ଗତି ନାଶିନୀ
ଏ ଘୋର ସଙ୍କଟୁ ରଖ ମହିଷା ମର୍ଦ୍ଦିନୀ ।
ତୁମ୍ଭେ ନ ରଖିଲେ ମାଗୋ କିଏ ବା ରଖିବ
ମା ଆଖି ଆଗେ ଜଗତ ବିନାଶ ତା ହେବ
ତୁ ମା ସହି କି ପାରିବୁ
ଦୁର୍ଗତି ନାଶିନୀ ନାମ କେମିତି ବହିବୁ ?
ଦୋଷ କ୍ଷମା କରି ଦିଅ ଜଗତ ଜନନୀ
ମା ଦୁର୍ଗା କୋଳେଇ ନିଅ କରୁଛୁ ଦୟିନୀ
ମାଗୋ ଦୁର୍ଗତି ନାଶିନୀ
ଶରଣ ଚରଣେ ଗଲୁ ମା ସିଂହ ବାହିନୀ ।