ଦୁଇ ଧାର ଲୁହ
ଦୁଇ ଧାର ଲୁହ
ଦୁଇଟି ମୁକ୍ତାର ବିନ୍ଦୁ ଉପଲଭ୍ୟ
ସମୟର ଦୀର୍ଘ ଚଳନର ଉପହାର
ଆଖିର ସୌନ୍ଦର୍ଯ୍ୟ ଜ୍ୟୋତି
ଦୁଇ ଧାର ଲୁହ ଅନ୍ତରାଳେ
କ'ଣ ଅଛି
କିଏ ପଢ଼ିଛନ୍ତି ?
ପଢିବାଟା ଏତେ ସହଜ ନୁହେଁ ।
ଝିଅ ବିଦା ପରେ
ପିତାଙ୍କ ଆଖି ପଲକ ଭିଜା କାହାଣୀ,
ପୁତ୍ର ଜନ୍ମସ୍ଥାନ ଛାଡି ବିଦେଶ ଗଲେ
ଆଖିରେ ଦୁଇ ଧାର ଲୁହ ନେଇ
ଚାରି ପାହୁଣ୍ଡ ଆଗେଇ ଆସେ ମା' ।
ସାତ ଜନ୍ମକୁ ସାଥି ହେବାର
ସ୍ବପ୍ନ ଦେଖି ଏରୁଣ୍ଡି ଡେଇଁ
ପ୍ରତାରଣା ଛବିରେ ଭାସି ଯାଏ ଅଶ୍ରୁଜଳେ,
ସେ ଉଷ୍ଣ ଲୁହ ଧାର ଧକ୍କାରେ
ଭଗ୍ନସ୍ତୁପରେ ପରିଣତ ହୁଏ ଜୀବନ କାହାଣୀ ।
କାଚର ମିନାର ଖଣ୍ଡ ବିମଣ୍ଡିତ
ମିହି , ତାର ପ୍ରତ୍ୟେକ ଅଙ୍ଗ.....
ସେ ଅସ୍ପଷ୍ଟ ଚିତ୍କାର କିଏ ଶୁଣି ପାରେ ?
ଧୀମନ୍ତ ଧୀରା ମନୁଷ୍ୟଙ୍କ
ଅଲକ୍ଷ୍ୟରେ ଲୁଚି ଯାଏ ।
ଆଜିର ସମାଜରେ
ହୃଦୟ ବିଦାରକ କାହାଣୀ
ସେ ବେକାର ,ସେ ବେକାର
ଜୀବନ ସମୟ ଦାସତ୍ବରେ ବନ୍ଧା ।
ଉଚ୍ଚ ଶିକ୍ଷିତର ଚପଲ ଚନ୍ଦନ ପରି
ଘୋରି ହେଲେ ମଧ୍ୟ
ମୁଠାଏ ଦାନା ପାଇଁ ବିଫଳ ।
ଯେଉଁ ହୃଦୟ ପ୍ରେମ ପୁଲ୍ଲକ ହୋଇ
କୃଷ୍ଣଚୂଡ଼ା ଦେଖି ଅନର୍ଗଳ କବିତା
ସୃଷ୍ଟି କରୁଥିଲା ,
ଆଜି ସେଇ କୃଷ୍ଣଚୂଡ଼ା ବୃକ୍ଷ ତଳେ
ବସି ,ନିଗାଡି ଦିଏ ଘର୍ମ ....
ଘର୍ଘର ନାଦେ ରାସ୍ତା ଉପରେ
ଅନେକ ଯାନ ଚାଲି ଯାଏ ।
ସେଥିପାଇଁ ଭୃକ୍ଷେପ ନଥାଏ,
ତା ସଙ୍ଗେ ଲିଭି ଯାଉଛି ପ୍ରିୟା ପାଇଁ
ଥିବା ପ୍ରତୀକ୍ଷା ...
କୃଷ୍ଣଚୂଡ଼ା ସ୍ନାହାନ କରିଛି
ଆଖିର ଦୁଇ ଧାର ଲୁହରେ ।
ଲୁହ ତ ଝରି ପଡେ ରୋଜଗାରୀ
ପୁଅ ଫେରି ନଚାହିଁଲେ ,
ପାହାଡ଼ ତଳେ ବସି ବୃଦ୍ଧ ପିତା ପଥର ଭାଙ୍ଗି
ଭସାଇ ଦିଏ ଆଖି ଲୁହର ଅମୃତ ଧାରାରେ ।
ଏଇ ଦୁଇ ଟୋପା ଲୁହର କାହାଣୀ
ଅସରନ୍ତି ,
ଘୁଣାକ୍ଷର ପରି ଦୃଶ୍ୟ ହୁଏ
ପଢ଼ିବା କଷ୍ଟସାଧ୍ୟ ।
