ଦୁଃଖ ନିଅ ହେ ଦୟାମୟ
ଦୁଃଖ ନିଅ ହେ ଦୟାମୟ
ପ୍ରଭୁ ହେ ତୁମେ ଚିରନ୍ତନ ଚିନ୍ମୟ
ସାରା ସଂସାର ତୁମ ଆନନ୍ଦମୟ
ତୁମେ ନିର୍ବିକାର ନିରାମୟ
ଦୁଃଖ ନିଅ ହେ ଦୟାମୟ ।
ଥାଉଁ ଥାଉଁ ତୁମେ ଲାଗୁଛି ବିସ୍ମୟ
ଚାରିଆଡ଼େ ଖାଲି ବ୍ୟାପୁଛି ଆମୟ
ଏ ମଣିଷ ଦୁଃଖେ ହୁଏ ନିରୁପାୟ
ପାଏନା ଖୋଛି ସେ କିଛି ବି ଉପାୟ।
ହୁଏ ସଦା ସିଏ ଅଥୟ
ପ୍ରଭୁ ହେ
ସୁଖର ସଂସାର ଗଢିଛ ଯତନେ
ବୁଦ୍ଧି ବିବେକ ଜ୍ଞାନ ଦେଇ ଜୀବନେ,
ମାନବ ଭୋଗେ ଦୁଃଖ ତାର ଅଜ୍ଞାନେ
ସତ୍ୟ ଶାନ୍ତି ଭାବେ ନାହିଁ କେବେ ମନେ।
କରେ ନାହିଁ କିଛିକୁ ଭୟ
ପ୍ରଭୁ ହେ
ଲୋଭ ମୋହ ମାୟା କରେ ତାକୁ ବଶ
ବୁଝି ଅବୁଝାରେ ହୁଏ ସେ ନିରାଶ,
ରଖେ ନାହିଁ ଜମା ଭରସା ବିଶ୍ଵାସ
ଅମୃତକୁ ଛାଡି ପିଏ ନିତି ବିଷ।
ନିଷ୍ଠୁର କରି ତା ହୃଦୟ
ପ୍ରଭୁ ହେ
ଦୋଷ ତ୍ରୁଟି ତାର କରି ଦିଅ କ୍ଷମା
ଘୁଞ୍ଚି ଯାଉ ଦୂରେ ଅବାଟର ଅମା
ଅନୁଭବ କରୁ ପ୍ରକୃତି ସୁଷମା
ବୁଝୁ ଥରେ ତୁମ ଅନନ୍ତ ମହିମା ।
ଦୁଃଖ ନିଅ ହେ ଦୟାମୟ
ପ୍ରଭୁ ହେ ।