STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଦୁଃଖ ମୋର ପ୍ରିୟଜନ

ଦୁଃଖ ମୋର ପ୍ରିୟଜନ

1 min
520

ଅତି ଆପଣାର ପ୍ରିୟବନ୍ଧୁ ମୋର

   ନାଆଁଟି ତାହାର ଦୁଃଖ,

ଜନ୍ମ ହେଲାଦିନୁ ଆଜିଯାଏ ସିଏ

    ଧରିଅଛି‌ ମୋର ହାତ।


ଦେଇନାହିଁ ଧ୍ଵକ୍କା ସହିବା ମ‌ଉକା

    ମୋତେ ଉପହାର ଦେଇ,

ଛାତିକୁ ମୋହର ପଥର କରିଛି

    ଅତି ପାଖେ ପରା ଥାଇ।


କିଛିଟା ମୁହୂର୍ତ୍ତ ବାନ୍ଧିବା ସମ୍ପର୍କ

     ସୁଖର ଲକ୍ଷଣ ଅଟେ,

ଦି'ଦିନ କୁଣିଆ ହୋଇ ଆସି ମୋତେ

     ମାୟା କପଟରେ ଲୁଟେ।


କିଛିଟା ସ‌ଉକ ସୁଷମ ଆହାର

      ପୂଜା ଉତ୍ସବ ଦେଖାଇ,

ଖର୍ଚ୍ଚ କରାଏ ସେ ମୋ ମାନବିକତା

      ଲୋଭରେ ମୋତେ ପକାଇ।


କିନ୍ତୁ ଦୁଖ ମୋର ବାଲ୍ୟ ମିତ୍ରଟିଏ

      ମୋ ସହ କେବଳ ଅଛି,

ତା'ନାମରେ ମୋର ଜୀବନ ସାର୍ଥକ

      ଦୁଃଖୀଟିଏ ବୋଲାଉଛି।


ଦୁଃଖୀ ମଣିଷର ଇଜ୍ଜତ ମହତ

      ନାହିଁ ଏ ଦୁନିଆଁ କୁହେ,

ଦରିଦ୍ର,କାଙ୍ଗାଳ,ଭୀକାରୀଟି କହି

      ଉପହାସ କରିଥାଏ।


ଯେତେବେଳେ ଏହି ଦୁନିଆଁ ମୋଆଡୁ

     ମୁହଁ ମୋଡ଼ି ଚାଲିଯାଏ,

ଠିକ୍ ସେତେବେଳେ ଦୁଃଖଟିକେବଳ

     ମୋତେ ଆପେଣେଇ ନିଏ ।


ଜନ୍ମରୁ ସେ ଅଛି ମୃତ୍ୟୁ ଯାଏ ଥିବ

     କଥା ପରା ଦେଇଅଛି,

ହାତ ଧରି ମୋର ଧୈର୍ଯ୍ୟର ଠିକଣା

     ମୋତେ ସିଏ ଦେଖାଇଛି।


ମୋ ଘରେ ଦୁଃଖଟି ଆଡ୍ଡା ପକାଇଛି

      ତା' ପିଲା କୁଟୁମ୍ବ ନେଇ,

ସୁଖ ଯଦି କେବେ ଆସନ୍ତି ମୋ ଘରେ

      ଦିଅନ୍ତି ସେ ଘ‌ଉଡେଇ।


ଜାଣିଛି ଦୁଃଖକୁ ଆଦର ମିଳେନା

       କେଉଁଠି କାହା ପାଖରେ,

 ଶ୍ରଦ୍ଧାପାଏ ବୋଲି ସେଇଥିପାଇଁକି

       ରହିଅଛି ମୋର ଘରେ।


ଦୁଃଖ ମୋତେ ବହୁ ଅଭିଜ୍ଞତା ଆଉ

       ଅନୁଭୂତି ଦେଇଅଛି,

ଦୁନିଆଁ ହାଟରେ ଚଳିବାକୁ କେତେ

      ସୂତ୍ର ସିଏ ବତାଇଛି।


କରମ ସାଧନେ ବ୍ରତୀ ହେବାପାଇଁ

     ମାର୍ଗ ଦେଖାଉଛି ଦୁଃଖ,

ଆଳସ୍ୟ ପଣ ମୋ ମନରୁ ହଟାଇ

     ପଛରୁ ମାର‌ଇ ଛାଟ। 


ଆଜନ୍ମ ଦୁଃଖୀ ମୁଁ ଦୁଃଖ ସହିବାକୁ

     ସଂସାରକୁ ଆସିଅଛି,

ଦୁଃଖର ଗଣ୍ଠିଲି ମୁଣ୍ଡରେ ମୁଣ୍ଡେଇ

      ବାଟ ମୁହିଁ ଚାଲୁଅଛି।


ଦୁଃଖୀସିନା ଜାଣେ ଦୁଃଖୀରବେଦନା

    ସୁଖୀଟି କିବା ବୁଝିଛି,

ଦୁଃଖର ସ‌ଉଦା କରୁକରୁ ଏହି

    କଥାଟିଏ ଜାଣୁଅଛି।


ବିଭିନ୍ନ ସମସ୍ୟା ଆଣି ଦୁଃଖ ମୋତେ

     ବହୁ ପରୀକ୍ଷା କରିଛି,

ମିଛ ମାୟା ଭରା ଏହି ସଂସାରରେ

      ସତଟିକୁ ଚିହ୍ନେଇଛି।


ସମସ୍ଯା ଦେଇ ସେ ବିଶ୍ଵନିୟନ୍ତାଙ୍କୁ

      ଡାକିବାକୁ ବାଧ୍ଯ କରେ,

ସେହି ଦୀନବନ୍ଧୁ ଦୀନଜନଙ୍କର

     ଦୁଃଖ ସବୁ ହରିପାରେ।


ନାହିଁ ସିନା ଧନ ମୋ ସିନ୍ଧୁକ ଶୂନ୍ୟ

     ତେଣୁ ମୁହିଁ ଦୀନଜନ,

ତଥାପି ମୁଁ ଧନୀ ଏହା ଅଛି ଜାଣି

     ଅଛି ଚିନ୍ତାମଣି ଧନ।


ଦୁଃଖକୁ ଦୁଃଖଟି ମଣୁଥିଲେ ଦୁଃଖ

     ଭାରି ବୋଝ ଭଳି ଲାଗେ,

ତେଣୁ ଦୁଃଖଟିକୁ ସୁଖ ସ୍ଵରୂପରେ

    ନିଜକୁ ସୁଖୀ ମୁଁ ଭାବେ।  


ନିରାଶ୍ରୟଟିକୁ ଜଗଦ୍ଦୀଶ ରଖେ

     ଏ ସାର ବଚନ ଅଛି,

ଅନେକ ସମୟେ ବିଭିନ୍ନ ସମସ୍ୟା

      ପ୍ରଭୁ ଦୂର କରିଛନ୍ତି।


ହରିଭକ୍ତ ନର ଭଙ୍ଗା ଘର ତାର

     ଏ ଯେଣୁ ଶାସ୍ତ୍ର ବିଚାର,

ତେଣୁ ଦୁଃଖ ମୋର ଅତି ଆପଣାର

      ମୁଁ ଦୁଃଖି ଅପର୍ତ୍ତି ଛାର।


Rate this content
Log in

Similar oriya poem from Tragedy