ଦୁହିତା
ଦୁହିତା
ବିଧିର ବିଧାନ କେ କରିବ ଆନ
ସଭିଏଁ ସେଥିରେ ଛନ୍ଧା,
ବାପ ଘର ଖେଳ ସରିଗଲାପରେ
ଝିଅ ପଡ଼ିଯାଏ ବନ୍ଧା ।
ଯେଉଁ ଅଗଣାରେ ଖେଳୁଥିଲା ଦିନେ
ସିଏ ହୁଏ ସାତ ପର,
ଅଜଣା ହାତରେ ହାତକୁ ସେ ରଖି
କରଇ ଘର ସଂସାର ।
ବାପା,ଭାଇ ପାଇଁ କେତେ ଅଲିଅଳି
ମାଆର ସେ ଗଣ୍ଠିଧନ,
ପରକୁ ଆପଣା କରିଦେଇପାରେ
ଧନ୍ୟ ଅଟେ ତା ଜୀବନ ।
ବେଦୀ ଉପରେ ସାତଘେରା ନେଇଣ
ନୂତନ ଜୀବନ ଗଢେ,
ତଥାପି ଭୁଲେନି ଧୁଳିଖେଳ କଥା
ସ୍ମୃତିକୁ ସାଉଁଟି ପଢେ ।
ବାପଘରେ ସେହି ଲକ୍ଷ୍ମୀ ପ୍ରତିମା ଟିଏ
ଶାଶୁଘରେ ସୁହାଗିନି,
ଦୁଇକୁଳ ପାଇଁ ହିତ ସେ ସାଧଇ
ହୋଇଥାଏ ସ୍ଵାଭିମାନୀ ।