ବାପା
ବାପା
ଆଦ୍ୟ କରତା ଚଳନ୍ତି ଦେବତା
ତୁମ ବିନୁ ମୁହିଁ ଶୂନ୍ୟ,
ତୁମରି କୋଳରେ ଜନମ ଲଭିଣ
ଜୀବନଟି ମୋର ଧନ୍ୟ ।
କଥା ମାନ ସବୁ ଶକ୍ତ ବାଣ ଯୁକ୍ତ
କୋମଳ ତାଙ୍କ ହୃଦୟ,
ଉପରେ ସିନା ସେ ଆଖି ଦେଖାଅନ୍ତି
କେବେ ନୁହଁନ୍ତି ନିର୍ଦ୍ଦୟ ।
ଝଡ଼ ଝଞ୍ଜା ସବୁକୁ ସହି ପାରନ୍ତି
ମନ ମଧ୍ୟେ ଚାପି କୋହ,
ଆଖିରେ ଲୋତକ ଆସେନିକି ତୁମ
କେବେ ବସି ପାଶେ କୁହ ।
ବରଗଛ ହୋଇ ଦେଉଅଛ ଛାଇ
ସଭିଙ୍କର ମନ ଜାଣି,
କହିବକି କେବେ କଷ୍ଟ ହୁଏ ନାହିଁ
କିପରି ପାରୁଛ ଜିଣି ।
ବାପା ତୁମେ ଦେଖିପାର ସବୁକିଛି
ଗଢ଼ିଦେଇ ସ୍ଵପ୍ନଧାଡ଼ି,
ମୁଁ ତୁମ ପାଇଁ ପରସିଦେବି ସବୁ
ହୋଇ ତୁମ ଆଶାବାଡି ।
ଆଜିବି ଉଙ୍କିମାରୁଛି ମନେ ମୋର
ଅନେକ ଗୁଡିଏ କଥା,
କୋଣେ ଅନୁକୋଣେ ପଚାରି ଦେବାକୁ
କେମିତି ସହୁଛ ବ୍ୟଥା ।
ହଁ ତୁମେ ମିଛ କୁହ ଅନେକ କଥା
ଆଖି କିନ୍ତୁ ପାରେ ନାହିଁ,
ବିଚ୍ଛୁରିତ ହୁଏ ପ୍ରତି ଆଲୋକରେ
ତୁମେ କିବା ବୁଝ ନାହିଁ ।
ତୁମ ଆଶିଷେ ତୋଳିବି ପାରିଜାତ
ପଣ କଲି ତୁମ ନାମେ,
ଆଶିର୍ବାଦ ସଦା ରଖିଥାଅ ବାପା
ଲୋଡା ନୀତି ମୋ ଜୀବନେ ।