ଦସ୍ୟୁ ସୁନ୍ଦରୀ
ଦସ୍ୟୁ ସୁନ୍ଦରୀ
ନାରୀଟିଏ ତ ସ୍ବେଚ୍ଛାରେ
ମନ ଫୁର୍ତ୍ତି ପାଇଁ
ଉଠାଏ ନାହିଁ ଅସ୍ତ୍ର
ସମାଜର ଅବିଚାର
ଅତ୍ଯାଚାରର ସବୁ
ସୀମା ଲଙ୍ଘିଯିବା ପରେ
ସାଜେ ସିଏ ଦସ୍ଯୁ ସୁନ୍ଦରୀ!!
ଯେବେ ଯେବେ ନାରୀଟି
ହସ୍ତରେ ଧାରଣ କରେ ଅସ୍ତ୍ର
ଯୁଗାନ୍ତକାରୀ ବିଳ୍ପବର
ନିଶ୍ଚେ ହୁଏ ସୂତ୍ରପାତ
ନୁହେଁ ଅବଳା ଦୁର୍ବଳା ହୀନବଳା
ସିଏ ତ ସହସ୍ରଭୁଜା ମହାମାୟୀ
ସମସ୍ତ ଶକ୍ତିର ଅକ୍ଷୟ ଉତ୍ସ!!
ନାରୀ ଆଖିର ଲେଲିହାନ
ଅଗ୍ନିଶିଖାରେ ଜଳି ଯାଏ
ପାପର କେତେ ଯେ ସାମ୍ରାଜ୍ୟ
କେତେ ସଭ୍ଯତା ହୁଏ ଧୂଳିସାତ
ଗାଦିଚ୍ୟୁତ ହୁଅନ୍ତି ଅନେକ ସମ୍ରାଟ
ତଥାପି ତା'ର ଉତ୍ପୀଡ଼ନର ନାହିଁ ଅନ୍ତ!!
ଜାତିବାଦୀ ହୀନ ରାଜନୀତିର
ବିଷ ବଳୟରେ ପୁରୁଷ ପ୍ରଧାନ
ସମାଜର କଟୁ ଦୃଷ୍ଟିରେ
ଅହରହ ନାରୀଟିଏ ହେଉଥାଏ
ଲାଞ୍ଛିତା ପ୍ରତାରିତା ଧର୍ଷିତା
ଅକଥନୀୟ ଅତ୍ୟାଚାରର ଶିକାର
ହେଉଥାଏ ନିତ୍ୟ ନିରନ୍ତର!!
ନାରୀ ତ ଯେମିତି ଉପଭୋଗ୍ୟର ବସ୍ତୁଟିଏ
କଳ ବଳ ଛଳ କୌଶଳରେ ବଶୀଭୂତା
ହେବା ତା' ପାଇଁ କାଳେ ବିଧିର ବିଧାନ
ନଚେତ୍ ସହିବାକୁ ହେବ ଅସହ୍ୟ କଷଣ
ଯେତେ ଅତ୍ଯାଚାର ଯେତେ ପାପାଚାର
ସବୁ ତ ଲେଖା ନାରୀର ଭାଗ୍ୟରେ
ସହିବ କିଆଁ ସେ ଆଉ ନୀରବରେ
ନୀରବତା କି ତା'ର ଦୁର୍ବଳତା
ଅବା ସଣ୍ଠଣା ଜ୍ଞାନରେ ଆଭୂଷଣ
ସର୍ବଂସହା ଭୂଷଣରେ ଭୂଷିତା??
ସିଏ ବି ତ ଲଢି ପାରେ ଲଭିବାକୁ
ଆପଣାର ନାର୍ଯ୍ୟ ଅଧିକାର
ମାନ ସମ୍ମାନ ଇଜ୍ଜତ ସହିତ
ଜୀଇଁବାକୁ ଏଇ ସମାଜରେ
ଯେବେ ହସ୍ତେ ଅସ୍ତ୍ର ଧରି
ସାଜେ ସିଏ ଦସ୍ୟୁ ସୁନ୍ଦରୀ
ଜାଳିପୋଡ଼ି ନାରଖାର କରିବାକୁ
ପାପର ନଗରୀ ଭେଦଭାବର ପାଚେରୀ
ତା'ର ଲଢ଼େଇ କିଆଁ ହୋଇଯାଏ
କଳାତାଲିକାଭୁକ୍ତ ରାଷ୍ଟ୍ରଦ୍ରୋହ ଶ୍ରେଣୀଭୁକ୍ତ
ଅପରାଧିକ ସଂଜ୍ଞାରେ ନିରୁପିତ??
ପାହାଡ଼ରୁ ସମତଳ ପଲ୍ଲୀରୁ ନଗର
ସଡ଼କରୁ ସଂସଦ ସବୁଠି ନାରୀବାଦର
ସ୍ପର୍ଦ୍ଧିତ ସ୍ବର ଗୁଞ୍ଜରିତ
ସ୍ବାଧୀନତା ପ୍ରାପ୍ତିର ସପ୍ତ ଦଶନ୍ଧି
ପରେ ବି ଭାରତବର୍ଷର ନାରୀ
କଣ ଲଭିଛି ବାସ୍ତବରେ
ତାହାର ନାର୍ଯ୍ୟ ଅଧିକାର??
ଭାଗ୍ୟର ଦ୍ବାହି ଦେଇ ନୀରବରେ
ଲୁହ ଢ଼ାଳିବାରେ ନୁହଁଇ ସାର୍ଥକ
ନାରୀଟିର ଜନ୍ମ ତାହାର ନାରୀତ୍ବ
ନ୍ୟାୟଶାସ୍ତ୍ର ଦେଇ ନାହିଁ କେବେ
ନାରୀଟିକୁ ତା'ର ଅଧିକାର
ସ୍ଵେଚ୍ଛାରେ ଜୀଇଁବାର ସ୍ବାଧୀନତା
ଶସ୍ତ୍ର ହିଁ ଦେଇଛି ତାହାକୁ
ସ୍ବକୀୟ ସ୍ବତନ୍ତ୍ର ପରିଚୟ
ଶସ୍ତ୍ର ହିଁ ନାରୀଟିର ଧେୟ
ନାରୀର ଆଭୂଷଣ ଅଳଙ୍କାର
ନାରୀତ୍ବର ଜୟ ଜୟକାର!!
