ତୁମ ନୀରବତା
ତୁମ ନୀରବତା


ତୁମ ନୀରବତା ଦେଉଛି ଯନ୍ତ୍ରଣା
ଅଥୟ କରୁଛି ମତେ,
ଦୀର୍ଘ ତିନି ମାସ ବ୍ୟତୀତ ହେଲାଟି
କଥା କୁହ ନାହିଁ ମତେ ।
ଅପରାଧ ମୁହିଁ କରି ନାହିଁ କିଛି
ନୀରବତା କାହିଁ ପାଇଁ,
ହସ ଖୁସି ନାହିଁ ଗୃହରେ ଆମ୍ଭର
ଏହୁ ହୁଏ କାହିଁ ପାଇଁ ।
ନୀରବତା ଦେଖି ସନ୍ତାନ ତୁମ୍ଭର
ନୀରବେ କାଳ କାଟନ୍ତି,
ମାତୃ ସ୍ନେହ ତାଙ୍କୁ ନିଅଁଟ ହେଉଛି
ସ୍ନେହ ଦିଅ ତାଙ୍କୁ ଚିନ୍ତି ।
କାର୍ଯ୍ୟ କରୁ ଅଛ ନୀରବେ ରହିଣ
ନୀରବତା କାହିଁ ପାଇଁ,
ଯଦି କିଛି ଭୁଲ କରି ଅଛି ମୁହିଁ
କର କ୍ଷମା ଗୃହ ପାଇଁ ।
ନୀରବତା ଭାଙ୍ଗି ହସି ଦିଅ ଥରେ
ବିନତି କରୁଛି ମୁହିଁ,
ଗୃହର ମଙ୍ଗଳେ ନୀରବତା ଛାଡ
ସନ୍ତାନକୁ ଦେଖ ଚାହିଁ ।
ଖୁସିର ସଂସାର ଚିନ୍ତା ମଗ୍ନ ଆଜି
ନୀରବତା ଯୋଗୁଁ ତୋର,
ତୋର ନୀରବତା ଅଥୟ କରୁଛି
କାନ୍ଦୁଛି ସର୍ବାଙ୍ଗ ମୋର ।
ଦିଅଁଙ୍କ ମନ୍ଦିରେ ପୂଜୁ ଅଛି ନିତ୍ୟେ
ଏହୁ ନୀରବତା ପାଇଁ,
ଜଗନ୍ନାଥ ପ୍ରଭୁ କରିବେଟି ଦୟା
ଗୃହର ମଙ୍ଗଳ ପାଇଁ ।
ଆହେ ଜଗନ୍ନାଥ ଦୟା କର ଥରେ
ନୀରବତା ତାଙ୍କ ଭାଙ୍ଗୁ,
ହସି ଉଠୁ ଗୃହ ତହରି ଦୟାରେ
ଏହୁ ନୀରବତା ଭାଙ୍ଗୁ ।