ଦଣ୍ତକାଳୀ ଯାତ
ଦଣ୍ତକାଳୀ ଯାତ
ଚୈତ୍ର ମାସେ ପଡେ ଜାଣ ଦଣ୍ତକାଳୀ ଯାତ
ବୋଲନ୍ତି ଜନତା ତାକୁ ଦଣ୍ତକାଳୀ ନାଚ ॥
ଗଞ୍ଜାମର ସୁପ୍ରସିଦ୍ଧ ପର୍ବ ଅଟେ ଏହା
ଗାଆଁ ଦାଣ୍ଡେ ନୃତ୍ୟ ହୁଏ ହୁଏ ବହୁ ଯାତ୍ରା ॥
ଦାଣ୍ତ ଦ୍ବାରେ ବୁଲି ବୁଲି ମାଆ ମହାକାଳୀ
ଦୁଃଖୀ ଜନେ ବରଦାନେ ଆସନ୍ତି ବାହାରି ॥
ଉତ୍କଳୀୟ ଲୋକ ସଂସ୍କୃତିର ନିଦର୍ଶନ
ଭୁରିଭୁରି ଭରା ଯହିଁ ହରେ ଜନ ମନ ।
ଲୋକ ନାଟକ କଳାର ଜାଜ୍ବଲ୍ଯ ଆଲେଖ୍ଯ
ଅଙ୍କେ ଆଙ୍କି ଉଭା ଏହି ଦଣ୍ଡକାଳୀ ଯାତ ॥
ଦଣ୍ତୁଆ ଭକତ ମାନେ ସାଜନ୍ତି ନାଟୁଆ
ଦଳ ଦଳ ହୋଇ ବୁଲିଯା'ନ୍ତି ଗାଆଁ ଗାଆଁ ॥
ଦଣ୍ତକାଳୀ ମେଢ ମାନ ନଚାଇ ଚଲାଇ
ନାଚି ନାଚି ତାକ୍ ଧିନା ତାଥେଇ ତାଧେଇ ॥
ଲୋହିତ ଚିରାଳ ମାଳ ଉଡେ ମାଳ ମାଳ
ଆଭାସେ ବିଭାସେ ଶୋଭା ଆହା କି ! ରୁଚିର ॥
ଦଣ୍ତକାଳୀ ଯାତ ନାମେ ଏହା ସୁପ୍ରସିଦ୍ଧ
କେତେ ଭକ୍ତ କରିଥାନ୍ତି ଏଥେ ମାନସିକ ॥
ମାନସିକ ଧାରୀ ଭକ୍ତ ମନାସିବା ଜାଣି
ଦଣ୍ତକାଳୀ ସୁପ୍ରସନ୍ନେ ବର ଦ୍ଯନ୍ତି ଆଣି ॥
ବେଲଗୁଣ୍ଠା , ହିଞ୍ଜିଳି ଓ ଗୁବ୍ରା , ବ୍ରହ୍ମପୁର
କୁଡୁମୁଲୁ ଗୁମ୍ମା ଆଦି ସୀମାନ୍ତ ଆନ୍ଧ୍ରର ॥
ପରି ସୁପ୍ରସିଦ୍ଧ ସ୍ଥାନେ ମହା ସମାରୋହେ
ଦଣ୍ତକାଳୀ ଯାତ ଜାଣ ଅନୁଷ୍ଠିତ ହୁଏ ॥
କେଉଁ ଗ୍ରାମେ ଚତୁର୍ଦ୍ଦଶ କେଉଁଠାବେ ତ୍ରିଶପ୍ତ
ଦିବସ ପର୍ଯ୍ଯନ୍ତ ଚାଲିଥାଏ ଏହି ଯାତ ॥
ମହାଶକ୍ତି ମହାମାୟୀ ମହାକାଳୀ ମାତ
ମନ୍ଦିର ତେଜନ୍ତି ଯେବେ ହୁଏ ଏହି ଯାତ ॥
ଦାଣ୍ତରେ ଦଣ୍ତାୟମାନ ଭାବରେ ପୂଜିତା
ହେବା ହେତୁ ଦଣ୍ତକାଳୀ ନାମ ଏହି ଯାତ୍ରା ॥
ଭକତ ବତ୍ସଳା କାଳୀ ବରାଭୟ ଦାତ୍ରୀ
ଭକତ ଗହଣେ ଦାଣ୍ତ ଦ୍ବାରେ ନାଚି ନାଚି ॥
ଦଣ୍ତୁଆ ମାନଙ୍କ ମେଳେ ହୋନ୍ତି ଉପସ୍ଥିତ
ନବ ବସ୍ତ୍ର ଓ ମନ୍ଦାର ମାଳରେ ଶୋଭିତ ॥
ବାଜୁଥାଏ ଘଣ୍ଟ ଘଣ୍ଟା ତୂରୀ ଓ ମହୁରୀ
ଖୋଳ କରତାଳ କେତେ ମୃଦଙ୍ଗ ଓ ଭେରୀ ॥
ଢୋଲ ଦାମା ଟମକ ନିଶାଣ ଶଙ୍ଖ ଧ୍ବନି
ଭକତ ମାନଙ୍କ ମନ ନେଉଥାଏ ଟାଣି ॥
ଝୁଣା ଗୁଗୁଳ ଓ ଅଷ୍ଟଗନ୍ଧ ଧୂପ ଦୀପ
ମହ ମହ ବାସେ କେତେ କୁସୁମ ଅମାପ ॥
ଅଗୁରୁ ଚନ୍ଦନ ହେନା ମଲ୍ଲୀ ଜାଇ ଯୁଇ
ମଧୁର ସୁଗନ୍ଧେ ଦିଗ ଦିଏ ଚହଟାଇ ॥
ପଟ୍ଟହ କଂସାଳ ଆଦି ବାଦ୍ଯ ମଧୁ ସ୍ବର
ତାଳେ ତାଳେ ଭକ୍ତେ ନୃତ୍ୟେ ଥାଆନ୍ତି ବିଭୋର ॥
ତାଧିନି ତାଧିନି ଧିନା ତାକ୍ ଧିନା ଧିନି
ଧେଇକ୍ ଧିନା ଥେଇକ୍ ଥେଇ ଧିନି ଧିନା ଧିନି ॥
ତାକ୍ ଧିନି ଧିନି ତାକ୍ ତାକ୍ ତାକ୍ ତାଧି
ଥେଇ ଥେଇ ଧେଇ ଧେଇ ଧେଇକ୍ ଧେଇକ୍ ॥
ଧିନା ଧିନି ଧିନା ଧିନି ଧିନିକ୍ ଧିନା ଧିନି
ଧ୍ବନି ତାଳେ ନୃତ୍ୟେ ଭୋଳ ଭକତେ ଥାଆନ୍ତି ॥
ସ୍ତୁତି , ଦୟିନୀ , ଜଣାଣ ଭଜନ , ଗାନ ପାଠ
ଉଚ୍ଚେ ଉଚ୍ଚାରନ୍ତି ହରି ବୋଲର କୁହାଟ ॥

