ଦିଅ ରେ କୋକେଇ ସଜେଇ
ଦିଅ ରେ କୋକେଇ ସଜେଇ
ଜୀବନର ସାୟଂକାଳେ ଆଜି ମୁଁ ଏକା
ବିତେଇ ସାରିଛି ସବୁ
ମଧୁମୟ ଅବସ୍ଥା ।
ବାଲ୍ୟକାଳର ସେ ଚପଳାମି ,
କୈଶୋର ର ମନରେ ନୂଆ ଭାବନା ,
ଯୌବନ ରେ ପ୍ରେମଭରା ଅନୁଭୂତି ,
ସବୁଥିର ସ୍ବାଦ ପାଇ ମୁଁ ସାରିଛି ।
ସାଥୀଟିଏ ଯେବେ ଆସିଲା ଜୀବନେ
ପୂରଣ ହୋଇଥିଲା ସବୁ ଅଭାବ ,
କୋଳରେ ମଥା ଥାପି ପାଉଥିଲି
ସରଗ ସୁଖ ।
ବାପା ବୋଲି ଯେବେ ଡାକ ଶୁଣିଲି
ମନ ମୋର ଅଥୟ ହୋଇଗଲା ।
ହାତ ଧରି ଯାହାକୁ ଚାଲିବା ଶିଖେଇଲି
ସେ ଆଜି ଚାଲି ଚାଲି ଏତେ ଦୂରେ ଯେ
ମୋ ଡାକ ବି ତାକୁ ଶୁଭେନା ।
ଖାଲି ଝୁରୁଛି ସବୁ ସ୍ମୃତି କୁ ,
ଏ ବାର୍ଦ୍ଧକ୍ୟ ଲାଗୁଛି ଭାରି ଭାରି ।
ଆଜି ଆଉ ବଳ ନାହିଁ ଚାଲିବାକୁ
ପାଖେ ଖାଲି ଭରସା ଆଶାବାଡିକୁ ।
ଜୀବନେ ଯାହା ସଞ୍ଚିଲି
ସବୁତକ ଅଜାଡିଲି ସନ୍ତାନକୁ ,
ତେବେ ବି ଦୁଃଖ ନାହିଁ ।
ଦୁଃଖ ତ କେବଳ ଏତିକି
ଏ ବୟସରେ କେମିତି ବଞ୍ଚିବି
ବିନା ସାହାରା ରେ ।
ଜୀବନଟା ଏବେ ବୋଝ ଲାଗିଲାଣି ,
ମୁକ୍ତି ପାଇଁ ନିଇତି କରୁଛି ପ୍ରାର୍ଥନା,
ତଥାପି ନିଷ୍ଠୁର ଯମରାଜ ବି
ମୋ କଥା ଶୁଣେନା ।
ଲିଭେଇ ଦେ ଏ ଜୀବନ ଦୀପ ,
କାକୁତି କରୁଛି ମୁହିଁ ,
ବଳ ନାହିଁ ବୋଲି ଆଜି
ନାହିଁ ମୋର ଲୋଡା ,
ମୋ ଠି ନାହିଁ ଆଉ କା'ର କାମ ,
ମୋ କଥା ସଭିଁଙ୍କୁ ଲାଗୁଛି ପିତା ,
କେମିତି ଏ ସବୁ ସହିବି ବୁଝି ବି ପାରେ ନା ।
ଆଖି କୁ ଦିଶୁନି ଆଉ କିଛି ଛବି ,
ହାତ ହୁଏ ଥରଥର
ପାଦ ହୁଏ ଟଳମଳ ,
ଦୁଇ ପାଦ ଗଲେ ଲାଗେ ଧଇଁସଇଁ ।
କାହିଁକି ବଞ୍ଚିବି ,କାହା ପାଇଁ ବଞ୍ଚିବି ,
ଜୀବନକୁ ଆଉ ଲୋଭ ନାହିଁ ,
ଦେ ତୁ ମୋ ପାଇଁ କୋକେଇ ସଜେଇ ,
ଆଖି ମୁଦି ଶାନ୍ତି ରେ ଯିବି ମୁଁ ଶୋଇ ।
