ଦିଅ ପ୍ରଭୁ ସଦବୁଦ୍ଧି
ଦିଅ ପ୍ରଭୁ ସଦବୁଦ୍ଧି
ଘୋର କଳିକାଳେ ଘୋଟଇ ଜଗତେ
ମହାମାରୀ ଦୁର୍ବିପାକ
ବଜ୍ର ଘୋରନାଦେ କମ୍ପେ ବସୁନ୍ଧରୀ
ବାରିଦ ନିର୍ମେଘ ଶୁଷ୍କ ।
ବହେ ଖରତର ବାୟୁ ବାତଚକ୍ର
ଧୂମମୟ ଦଶଦିଶ
ଦିଶନ୍ତି କ୍ଷୁଭିତ ହଦ ନଦନଦୀ
ପ୍ରଦୂଷିତ ପରିବେଶ ।
ଦିଶେନି ସତେଜ ଚଳ ଓ ଚଞ୍ଚଳ
ଗଛଲତା ବନଗିରି
ଗ୍ରାମ ଜନପଦ ସହର ନବର
ସୁଖଶାନ୍ତି ହତଶିରୀ ।
ହୁଏ ଜନଶୂନ୍ଯ ଘର ପରିବାର
ଉଜୁଡଇ ଭିଟାମାଟି
ଭୋଗନ୍ତି ଦୁର୍ଦ୍ଦଶା ଭେଣ୍ଡିଆ ଯୁବକ
ଯାଆନ୍ତି ଦାଦନ ଖଟି ।
ବଢେ ଦିନୁଦିନ ଛାଡପତ୍ର ସଂଖ୍ଯା
ବୃଦ୍ଧ ଅନାଥ ଆଶ୍ରମ
ବଢେ ଦ୍ବେଷ ହିଂସା ଭୋଗସୁଖ ନିଶା
ନାହିଁ ସ୍ନେହ ଶ୍ରଦ୍ଧା ପ୍ରେମ ।
ଉତ୍ପୀଡିତ ହୁଏ ସରଳ ନୀରିହ
ବଢେ ନାରୀ ନିର୍ଯାତନା
ପାଏନାହିଁ ଦଣ୍ଡ ଦୁଷ୍ଟ ଭ୍ରଷ୍ଟାଚାରୀ
ଭାଗ୍ଯ ହୁଏ ବିଡମ୍ବନା ।
ଅଦ୍ଭୁତ ବିଚ୍ଚିତ୍ର ଜୀବନ ପ୍ରକୃତି
ନ୍ଯାୟ ସ୍ବପ୍ନ ବିଳମ୍ବିତ
ବଢେ ଅପରାଧ ସମାଜେ ଅଶାନ୍ତି
ସଜ୍ଜନ ସନ୍ତପ୍ତ ତ୍ରସ୍ତ ।
ବିକାଶର ନାମେ ନ ଗ୍ରାସୁ ସଙ୍କଟ
ବିନାଶ ମାର୍ଗ ପ୍ରଶସ୍ତ
ଅବୋଧ ସନ୍ତାନେ ଦିଅ ସଦବୁଦ୍ଧି
ମହାପ୍ରଭୁ ଜଗନ୍ନାଥ ।
