ଦି' ବୁନ୍ଦା ଲୁହ
ଦି' ବୁନ୍ଦା ଲୁହ
ଦଶ ମାସ ଗର୍ଭରେ ଧରି
ଅସହ୍ୟ ଯନ୍ତ୍ରଣାକୁ ସହ୍ୟକରି
ଯିଏ ତତେ ସଂସାର ଦେଖେଇଲା
ସିଏ ଆଜି ଏକାକିନୀ ହୋଇ
ଅଜ୍ଞାତବାସରେ ରହିଲା ପରି
ଗୁମୁରି ଗୁମୁରି କାନ୍ଦି କାନ୍ଦି
ଅଧା ଚାଳ ଥିବା ଏକ ଭଙ୍ଗା ଘରେ
ଦିନ ବିତାଉଛି ।।
ଯେଉଁ ଘରେ ଦିନେ ତୋର ଏନ୍ତୁଡି ପଡ଼ିଥିଲା
ତୋର ସେଇ କୁଆଁ କୁଆଁ ଡ଼ାକରେ
ଯେଉଁ ଘର ଦିନେ ପ୍ରତିଧ୍ୱନିତ ହେଉଥିଲା
ସେଇ ଘର ଆଜିବି ସେମିତି ଅଛି
ସେଇମିତି ଅଛି ସେ ଚୁଲିଶାଳ
ଯେଉଁ ଚୁଲିରେ ଅନ୍ୟଠୁ ଖୁଦ ମୁଠାଏ ମାଗିଆଣି
ତୋ ମାଆ ତୋ ପାଇଁ ଅନ୍ନ ରାନ୍ଧୁଥିଲା
ସବୁକିଛି ପୂର୍ବ ପରି ସେମିତି ଅଛି
ସେମିତି ଅଛି ସେ ଏନ୍ତୁଡିଶାଳ
ସେମିତି ଅଛି ସେ ଘର ଦୁଆର
ସେମିତି ଅଛି ସେ ଅନ୍ନ ପରସୁଥିବା ଦୁଇ ହାତ
ହେଲେ ପାର୍ଥକ୍ଯ ଏତିକି
ସେ ହାତରେ ଆଉ ପୂର୍ବ ପରି ବଳ ନାହିଁ ।।
ନିଜର ସବୁ ସୁଖ ଶାନ୍ତିକୁ ଜଳାଞ୍ଜଳୀ ଦେଇ
ତତେ ପାଠଶାଠ ପଢ଼େଇ ମଣିଷ କଲା,
ନିଜ ରୂପ ଯୌବନକୁ ପ୍ରାଧାନ୍ୟ ନଦେଇ
ଛାତିର ରକ୍ତକୁ ପାଣି କରିଦେଇ
ତୋର ଭୋକିଲା ପେଟରେ ଆହାର ଦେଇଥିଲା,
ହେଲେ, ଆଜି ସେ ଭୋକ ଉପାସରେ ହନ୍ତସନ୍ତ ।।
ତତେ ଅନ୍ତଃଚିରି ଜନ୍ମ ଦେଇଥିବା ଜନନୀ
ଆଜି ବାର ଦୁଆରର ଭିକାରୁଣୀ
ହେଇପାରେ ଆଜି ତୋ ପାଖରେ ଅଜସ୍ର ଟଙ୍କା
ଅମାପ ଧନ ସମ୍ପତ୍ତି, ମାନ ସମ୍ମାନ ସବୁକିଛି ଅଛି
ହେଲେ, ତୁ ଭୁଲି ଯାଉଛୁ ଗୋଟିଏ କଥା ଯେ,
ମାଆ ଶବ୍ଦଟି ଆଉ ତୋର ଓଠରେ ନାହିଁ ।।
ଏତେ ସବୁ ପରେ ମଧ୍ୟ
ଆଜି ବି ତୋ ମାଆ
ତୋ ପାଇଁ ଇଶ୍ୱରଙ୍କୁ ପ୍ରାର୍ଥନା କରେ,
ତୋର ମଙ୍ଗଳ କାମନା କରେ,
ତୋର ନିର୍ଯ୍ୟାତନା ପାଇଁ
ତା'ମନରେ ଟିକିଏ ବି ଦୁଃଖ ନାହିଁ,
ହେଲେ ଗୋଟିଏ କଥା ମନେ ରଖିଥିବୁ
କେଉଁ ମାଆ ତ କେବେ ନିଜ ପୁଅକୁ ଅଭିଶାପ ଦିଏନି,
ତଥାପି ଯଦି କେବେ ତୋ ମାଆ ଆଖିରୁ
ତୋର ନିର୍ଯ୍ୟାତନାକୁ କେନ୍ଦ୍ରକରି
ଦି'ବୁନ୍ଦା ଲୁହ ଝରିଯାଏ,
ସେଇ ଦି' ବୁନ୍ଦା ଲୁହରେ
କେତେବେଳେ ତୋର ହସଖୁସି, ମାନ ସମ୍ମାନ
ଧନ ସମ୍ପତ୍ତି ସବୁକିଛି ଧୋଇ ଯିବ,
ତାହା ସେତେବେଳକୁ ତୁ ଠିକ୍ ବୁଝି ପାରିବୁ ।।
