ଧୂସର ଦିଗ୍ବିଜୟର ଅସ୍ପଷ୍ଟ ପାଦଶବ୍ଦ
ଧୂସର ଦିଗ୍ବିଜୟର ଅସ୍ପଷ୍ଟ ପାଦଶବ୍ଦ
ଏତେବଡ ଦୁନିଆଁର ପ୍ରଶସ୍ତ ଛାତିରେ
ସକାଳରୁ ସଂଜ ହୁଏ , ଦିନ ଗଡିଯାଏ
କଅଁଳ ଖରା ପାକଳ ହୋଇ ନଇଁ ଆସେ
ମୁଣ୍ଡ ଉପରକୁ କିଛି ଅବଶୋଷର ରୂପ ନେଇ ;
ଜଂଜାଳର ପରିଧି ଭିତରେ ଝୁଣ୍ଟି ଝୁଣ୍ଟି
ସ୍ବତଃ ଆଗେଇ ଗଲାବେଳେ
ବେଳେବେଳେ ଥକି ପଡେ,ବାକ୍ ଶୂନ୍ୟ ହୋଇଯାଏ
ପଛକୁ ଚାହେଁ ବାରମ୍ବାର ,ପୁଣି
କାହାର ଅସ୍ପଷ୍ଟ ପାଦଶବ୍ଦରେ ଚମକି ପଡେ
ନିଜର ଛାଇ ବି ଥଟ୍ଟା କରୁଥାଏ , ମୁହଁ ମୋଡୁଥାଏ
ନୀଡଫେରା ପକ୍ଷୀମାନଙ୍କ ମୃଦୁ କୋଳାହଳ
ମୋତେ ମୋହାଚ୍ଛନ୍ନ କରେ ପୁନଶ୍ଚ ;
ବିଚଳିତ ହୁଏ ମୁଁ ଅନେକ ସ୍ମୃତି ଓ ବିସ୍ମୃତିର
ଅସମାହିତ ସମୀକରଣରେ ।।
ଆଚରଣ ଓ ଉଚ୍ଚାରଣ ସବୁ ବଦଳିଯାଏ
ଖୋଜିଚାଲେ ଗଳିକନ୍ଦି, ରାଜପଥ
କାଳେ କିଏ ଚିହ୍ନା ମୁହଁ ଦେଖାହୋଇଯିବେ
ଅନ୍ତତ କିଛି ସମୟ ହେଉ ପଛେ
ସ୍ନେହ ଓ ସହାନୁଭୂତିର ମିଠା ଖୋଳପାରେ
ବାନ୍ଧି ହୋଇଯିବି , ବିଗଳିତ ହୋଇଯିବି
ପରିଚୟ ପାଇଜିବି ଅବଶିଷ୍ଟ ଜୀବନ ପାଇଁ
ଠିକଣା ମିଳିଯିବ ଲେଖିବାକୁ ଲହୁର କାଳିରେ
ମୋ ହସ ଓ ଲୁହର ଦରଦୀ କାହାଣୀ ଟିଏ ।।
କେତେ ବିଶ୍ବାସ, ଅବିଶ୍ବାସ ଓ ଛଳନାରେ ବନ୍ଦୀ
ମୋ ଠିକଣା ମୋ ଆତ୍ମ ପରିଚୟ
ମୋ ଅତୀତ, ବର୍ତ୍ତମାନ ଓ ଭବିଷ୍ୟ
କେତେ କେତେ ଆତ୍ମଘାତୀ ଆକ୍ରମଣ, ବାରୁଦର ରଂଗ
ଲିଭାଇ ଦିଏ କେତେବେଳେ କେମିତି
ମୋ ଷଠିଘର, ମୋ ଅତୁଟ ବିଶ୍ବାସ ।
'ମୁଁ ' ର ସାମ୍ରାଜ୍ୟ ଭିତରେ ମୁଁ ହିଁ ହଜିଯାଏ
ଠିକଣା ଧୋଇ ହୋଇଯାଏ ନିଥର ରାତିରେ
ସମୟର ଉତ୍ତାଳ ସ୍ରୋତରେ ,
ମୁକ୍ତିର ପିପାସା ଦିଶାହରା ହୁଏ
କ୍ଷତାକ୍ତ, ରକ୍ତାତ ହୁଏ ମୋ ସ୍ବପ୍ନ ଓ ବାସ୍ତବତା
ବହଳ ଅନ୍ଧାରର ଅର୍ଗଳି ଭିତରେ ବାଟଖୋଜେ ମୁଁ
ବାର ବାର ଅନେକ ବାର ।।
ଏବେ ମୋ ଠିକଣା ଧୂଳି ଧୂସରିତ ମାନଚିତ୍ରଟିଏ
ଶେଷହୀନ ଅଫେରା ଲମ୍ବା ରାସ୍ତାଟିଏ
ଲଟକି ଥିବା ଠିକ୍ ଏକ ଗୁଡିଟିଏ ପରି
ମାଟି ଓ ଆକାଶର ଆବର୍ତ୍ତ ମଧ୍ୟରେ ।
ତନ୍ମୟ ତାରୁଣ୍ୟର ଅଫୁରନ୍ତ ପୁଲକ
ଏବେ ଧୂଆଁଳିଆ ପଥର ପଥିକ
ଶବ୍ଦମାନଙ୍କର ଶିଥିଳତା ବେଶ୍ ଚଳଚଂଚଳ
କଳାହାଣ୍ଡିଆ ମେଘମାନଙ୍କ ଭୀଷଣ ଉତ୍ପାତ
ବେଳ ରତ ରତ ଲେଉଟାଣି ବେଳ
ପୃଥିବୀର ସବୁଜିମା ଅସ୍ପଷ୍ଟ ଓ ବିପର୍ଯ୍ୟସ୍ତ
ସବୁ କୋଳାହଳ ଭିତରେ ନିଃସଙ୍ଗ,ନିର୍ବାକ ମୁଁ
ହାତ ଗୋଡ ବନ୍ଧାହୋଇଥିବା ପାଳଭୂତଟିଏ
ଉଜୁଡା କ୍ଷେତର ଚୌହଦି ଭିତରେ ।।