ଭାବନା ନିର୍ଝର
ଭାବନା ନିର୍ଝର
ଆଶା ଲଫାଫାରେ ଦେଲି ପୁରେଇ
ସୁନାରଙ୍ଗିଆ
ବହେ ଇଛାକୁ ମୋର
ଜାଣିଥିଲି ଫଳବତୀ ହେବନି
କେବେ ଆଶା ତରୁବର
ତଥାପି
ସାହସ ଜୁଟେଇ
ନିରୋଳା ନିଃସଙ୍ଗ ବେଳାରେ
ଭାବୁଥିଲି କଠା କଠା
ଅତୀତ ତଥା
ଆଗାମୀ ଦିନର କଳ୍ପଚିଠା
ଲେଖୁଥିଲି ପୃଷ୍ଠା ପୃଷ୍ଠା
ଅଟ୍ଟହାସ୍ୟ କରୁଥିବା କିଛି
ଶେଷ ଦିବାସ୍ଵପ୍ନର
କ୍ଷଣଭଙ୍ଗୁର ସ୍ମୃତି ଖଟା ମିଠା
ଆଉ ଜାଣିଲେ ହସିବେ ସର୍ବଜନ
ସାଇତି ରଖୁଥିଲି
ମୋର ସେହି ସୁନେଲି ଲଫାଫାର
ନିଭୃତ ବକ୍ଷରେ
କଡ଼ ଲେଉଟୁଥିବା
ଅୟୁତ ନିୟୁତ ବନ୍ଧ୍ୟା ଇଚ୍ଛାଫୁଲମାନ
ଜାଣିନି କାହିଁକି କେଜାଣି
ଏମିତି ଅଭ୍ୟାସ ପାଳିଥିଲି
ଏମିତି ବଦଭ୍ୟାସର ପିଠିରେ
ଆଙ୍କୁଥିଲି ଅସମ୍ଭବ ଅସଙ୍ଗତ କଳ୍ପନା ଜାଲ
କେହି ପଚାରି ଦେଲେ
ଅବଶ୍ୟ ଉତ୍ତର ନ ଦେଇ
କେବଳ ମୁରୁକେଇ ଦେଇ
ଛତ୍ରଭଙ୍ଗ ଦେଉଥିଲି
ଆଦୌ ଲାଗୁ ନଥିଲା ଭଲ
ପଳାତକ ଘୋଷିତ ନ କଲେ ବି
ମନେ ମନେ ଭାବୁଥିଲି ଏମିତି
ଭାବନା ସବୁ ସମୟ ସମୟରେ
ଦାନ୍ତ ଦେଖେଇ ସାରିବା ପରେ
ଲାଗେ କେମିତି କେମିତି
ନ ସରୁ ଏ ଭାବନା ନିର୍ଝର
ଏ ମରୁ ଏ ଇଚ୍ଛା ସରୋବର
ଲୋକେ କୁହନ୍ତୁ ପଛେ ବଦ୍ଧ ପାଗଳ
ନସ୍ବର ଜୀବନର କିସ ବା ଭରସା
ଖୁସି ବଳୟରେ ବି ଝରେ ଗରଳ
କିଏ ପ୍ରଜ୍ଞା ପ୍ରଳାପ ପାଗଳ
କିଏ ପ୍ରେମ ପ୍ରତିଜ୍ଞା ପାଗଳ
କିଏ ଧନ ଦୌଲତ ପାଗଳ
କିଏ ପଦ ପ୍ରତିଷ୍ଠା ପାଗଳ
ଧାଉଁ ଧାଉଁ ସରିଯିବ ଜୀବନ ଖେଳ
