ଧୂମ୍ରାଭ ଆକାଶ
ଧୂମ୍ରାଭ ଆକାଶ
ଗୋଲାପର କଣ୍ଟା ହାତେ ଫୁଟିଗଲେ
ବୁହଇ ରକତ ଧାର
ମୁହଁ ମୋଡିଦେଲେ ଗୋଲାପ କଳିକା
ନୟନୁ ଝରଇ ନୀର I
ବର୍ଷା ଭିଜାଇଲେ ଦେହ ମନ ପ୍ରାଣ
ଆଖି ଭିଜି ଭିଜି ଯାଏ
କେ ଜାଣି ନ କୁହ ବର୍ଷା ତା ହାତରେ
ଲୁହ ସବୁ ପୋଛି ନିଏ I
ପ୍ରୀତିର ମୟୁଖେ ଜଳିଗଲେ ମନ
ଆଶାର ଆଲୋକ ଶିଖା
ନୀରବରେ ଜଳେ ହୃଦୟ କନ୍ଦର
ଜଳିଯାଏ ପ୍ରୀତି ରେଖା I
ଶୀତୁଆ ସଞ୍ଜରେ ମୁହଁ ଲୁଚିଗଲେ
ଅନ୍ଧାର ଆସିଲେ ମାଡି
ଅନ୍ଧ ପାଇଁ କିଛି ଫରକ ପଡେନି
ହାତେଥିଲେ ଆଶାବାଡି I