ଧୂଳିଖେଳ
ଧୂଳିଖେଳ
ନାତୁଣୀ ସୁହାନୀ ଆଙ୍କି ଜାଣିଲାଣି
ସୁନ୍ଦରିଆ ଚିତ୍ରପଟ
ଶିଖୁଛି କରାଟେ ନୃତ୍ୟରେ ପ୍ରବୀଣା
ପଢୁଛି ବି ଭଲ ପାଠ ।
ତେର ପୂରି ତାକୁ ଚାଲିଲା ଚଉଦ
ଲାଗୁଅଛି କାଲିପରି
ଖେଳୁଥିଲା ସିଏ ବାଲିଘର ଗଢି
ଧରି ତାର କାଞ୍ଚିଖୁରୀ ।
ନିଇତି ସଞ୍ଜରେ ଜେଜେମା ସାଥିରେ
ପାର୍କ ଆସୁଥିଲା ବୁଲି
ଝୁଲାରେ ଝୁଲିବ ଚକରି ବୁଲିବ
କରୁଥିଲା କେତେ ଅଳି ।
ଏକ ଦୁଇ ତିନି ପାହୁଚ ଗଣିକି
ଚଢଇ ତଳକୁ ଖସେ
ସାଙ୍ଗ ସହ ମିଶି ଖେଳେ ଉଠାପକା
ମନଖୋଲି ଗପେ ହସେ ।
ଧୂଳିଖେଳ ଛାଡି ଧରିଲାଣି ତୂଳି
ଭରି ଜାଣିଲାଣି ରଙ୍ଗ
ଜାତି ଜାତି ଫୁଲ ଗୋଲାପ ସତେଜ
ଉଜ୍ଜଳ ଦିଶଇ ମୁହଁ ।
ଧାଉଁଥିଲା ଦିନେ ଗେହ୍ଲେଇ ନାତୁଣୀ
ଧରିବାକୁ ପ୍ରଜାପତି
ଲାଗିଲାଣି ଡେଣା ମନରେ ତାହାର
ଉଡାଣ ଗଲାଣି ଶିଖି ।
ସପନ ସୁନ୍ଦର ଆଖି ପତା ତାର
ଛାଏଁ ମୁଦି ହୋଇଯାଏ
ଚହଟୁ ସୁବାସେ ସୁଗୁଣେ ସୁହାନୀ
ସର୍ବଦା ମୁଁ ଚାହୁଁ ଥାଏ ।