STORYMIRROR

Sukadev Mahanta

Abstract Tragedy Crime

4  

Sukadev Mahanta

Abstract Tragedy Crime

ଧର୍ଷିତାର ନିବେଦନ

ଧର୍ଷିତାର ନିବେଦନ

1 min
364


ଏଇ ଭାରତର   ଏକାନବେ କୋଟି

    ସଚେତନ ନାଗରିକ

ଗଣତନ୍ତ୍ର କହେ       ସବୁ ମଣିଷର

     ଭୋଟର ମୂଲ୍ୟ ଏକ ।

ଗଣତନ୍ତ୍ର ଅଟେ       ଗଣଙ୍କରଦ୍ବାରା

           ଗଣର ଶାସନ ଯଦି

ସମାନ ସଭିଏଁ      ସର୍ବେ ଯଦି ଗଣ

       ମୋ ବେଳକୁ କେଉଁ ଫନ୍ଦି?

ଏଠି ସଭିଙ୍କର          ରହିଅଛି ଯଦି

         ବଞ୍ଚିବାର ଅଧିକାର

ମୁଁ ତେବେ କିମ୍ପାଇଁ      କୁହ ତୁମେ ଆଜି

      ବର୍ବରତାର ଶିକାର।

ମଣିଷ ରକ୍ତର            କଣିକାକୁ ତୁମେ

          ତନ୍ନ ତନ୍ନ କରି ଖୋଜ

ଜାତି ଧର୍ମ ଭେଦେ         ଭିନ୍ନତା ଅଛି କି

           ଖୋଜିକରି କୁହ ଆଜ ।

ମୁଁ ଯାହା ଜାଣିଛି            ସବୁ ମଣିଷର

ରକ୍ତ ଅଟଇ ସମାନ

ବ୍ରାହ୍ମଣ ବାଲ୍ମିକୀ             ସବୁ ଜାତି ନର

              ରକ୍ତ ନୁହେଁ ଅସମାନ।

ଆମ ସମ୍ବିଧାନ                ଦେଇଅଛି ପରା

            ସମାନତା  ଅଧିକାର

ସ୍ବାଧୀନ ବିଚାର           ସ୍ବାଧୀନ ବିଶ୍ବାସ

            ବଞ୍ଚିବାର ଅଧିକାର।

ହାଥ୍ରାସର ଏକ     ଅବଳା ବାଳିକା

    ଦଳିତ ବାଲ୍ମୀକି ବୋଲି

ବର୍ବର ଲମ୍ପଟ    ମାରିଲେ ଚମ୍ପଟ

   ଧର୍ଷିତା ଶୋଷିତା ହେଲି ।

ଯେଉଁ ଭାରତର     ସମ୍ବିଧାନ ଅଟେ

    ସମଗ୍ର ବିଶ୍ବେ ଅନନ୍ୟ

ଯେଉଁଥିରେ ନାହିଁ    ବର୍ଣ୍ଣବୈଷମ୍ୟତା

    କେହିବି ନୁହଇ ଘୃଣ୍ୟ ।

ସବଳ କେବେବି    କରି ପାରିବନି

    ଦୁର୍ବଳରେ ଅତ୍ୟାଚାର

ଆଇନ ଆଖିରେ    ଦୋଷୀ ଅଟେ ସିଏ

    ହେଉ ପଛେ ଯେ ଜାତିର ।

 ମୁଁ ତେବେ କାହିଁକି         ହେଲି କୁହ ତୁମେ

 ବର୍ବରତାର ଶିକାର

ଛୋଟ ଜାତି ଝିଅ            ହେଲି ବୋଲି କିସ

             ନାହିଁ ମୂଲ୍ୟ ଇଜ୍ଜତର।

ଜାତି ଧର୍ମ ଭେଦ           ନାହିଁ ଭାରତରେ

             ସ୍ଥାନ ନାହିଁ ବିଭେଦର

ଦଳିତ ପତିତ            ସଭିଙ୍କର ଅଛି

            ବଞ୍ଚିବାର ଅଧିକାର।

ନାରୀର ଇଜ୍ଜତ           ମାଆର ସମ୍ମାନ

            ସବୁଠୁ ମହତ୍ତ୍ବପୂର୍ଣ୍ଣ

ମୋ ଇଜ୍ଜତ କେହ୍ନେ           ନିଲାମ ହୋଇଲା

              ମୋ ସମ୍ମାନ ହେଲା କ୍ଷୁର୍ଣ୍ଣ।

ମୋ କ୍ଷେତରୁ ମୁହିଁ            ଘାସ କାଟିବାକୁ

                   ଯାଇଥିଲି ଆନନ୍ଦରେ

କାମୁକ ରାକ୍ଷସ                କେଉଁଆଡୁ  ଆସି

            ଝାମ୍ପିନେଲେ ମୋ ଶରୀରେ ।

ମୋ କୋମଳ ଦେହ           ଖିନ୍ ଭିନ୍ କରି

                   ରକ୍ତ ଜୁଡୁବୁଡୁ କଲେ

ବାଜରା ବଣରେ             ଦରମଲା କରି

                ଫିଙ୍ଗିଦେଇ ଚାଲିଗଲେ।

ଅଧ ମାସ ଧରି               ତିଳ ତିଳ ହୋଇ 

                 ଜୀବନ ଯୁଦ୍ଧରେ ଯୁଝି

ହାରିଗଲି ଶେଷେ            ଆଉ ପାରିଲିନି

            ଦେଲି ଶେଷେ ଆଖିବୁଜି।

ମୋ ମରଶରୀର               ମୋର ପରିବାର

                 ପାଇଲାନି କିସ ପାଇଁ

ଘନ ଅନ୍ଧକାରେ                    ଜୁଇର ନିଆଁରେ

           ପାଉଁଶ ହୋଇଲି ମୁହିଁ ।

ମୋର ପରିବାର            ଯାତନା ସହିଲା

          ଲାଞ୍ଛନା ପାଇଲା କେତେ

ଦଳିତ ଜନର               ପ୍ରାପ୍ୟ ବୋଲି ମୁହିଁ

           ସାନ୍ତ୍ବନା ଦେଉଛି ମୋତେ।

ପାଉଁଶ ତଳର              ନିଆଁ ଅଟେ ମୁହିଁ

           ନେହୁରା ହେଉଛି ଆଜି

ମୋତେ ଦିଅ ନ୍ୟାୟ           କାନ୍ଦି ମୁଁ କହୁଛି

                ଅତୃପ୍ତ ଆତ୍ମାଟେ ସାଜି ।

ପ୍ରକୃତ ସ୍ବାଧିନ               ହୋଇବ ଏ ଦେଶ

                  ସେହିଦିନ ଯେଉଁ ଦିନ

ରାତି ଅନ୍ଧକାରେ            ନିର୍ଜନ ରାସ୍ତାରେ

             ଅବାଧ ନାରୀ ଗମନ।

ଗଣତନ୍ତ୍ର ଦେଶେ               ଅଛି ବୋଲି ମୁହିଁ

           ଧରି ନେବି ସେହି ଦିନ

ସବୁ ମଣିଷକୁ                     ସମ ଅଧିକାର

           ମିଳିବ ସମ ସମ୍ମାନ।

 

 

        

 

         

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract