ଧନ୍ୟ ଏହି ଜଗତ ରୀତି
ଧନ୍ୟ ଏହି ଜଗତ ରୀତି
ସମ୍ପଦ ବେଳେ ସର୍ବ ସଖା
ବିପଦେ ନଦିଅନ୍ତି ଦେଖା ।
ପ୍ରଭୁ ତୁମେ ଦେଖ ଏଥର
ଏ ଜଗତ ପରା ତୁମର ।
ଖଞ୍ଜି ଦେଇ ପାପ କୁବୁଦ୍ଧି
ସୃଷ୍ଟି କଲ ହେ ନନ୍ଦନିଧି ।
ମନେ ଥିଲା କିବା ବିଚାର
ଛଳ କଲ ବ୍ରଜ କୁମର ।
ତୁମ ଆଶା ଭରସା ନେଇ
ଜନମିଲି ଆହେ କହ୍ନେଇ ।
ଏତ କଳି କାଳ ବିଚିତ୍ର
ଲାଗୁ ଥିଲା ସଭିଏଁ ମିତ୍ର ।
ବିପରିତ ହେଲା କିପରି
କାହା ଦୋଷ ହେ ଗିରିଧାରୀ ।
ସୁଖ ବେଳେ ଦେଖାନ୍ତି ମୁଖ
ବିପତ୍ତିରେ ହୋନ୍ତି ବିମୁଖ ।
ସ୍ଵାର୍ଥପର ଏଇ ଦୁନିଆଁ
ଦେଖି ଲାଗେ ମୋତେ ଛାନିଆଁ ।
ବିପିଣି ଏ ଜୀବନ ହାଟ
ତୁମେ କର ସବୁଠି ନାଟ ।
ହାତେ ଥିଲେ ଧନ ସଂପତ୍ତି
ଭୃତ୍ୟ ମାନେ ବାକ୍ୟ ଝଟତି ।
ଦେହେ ଯଦି ଅଛି ଯୌବନ
ବେଢ଼ି ଯାନ୍ତି ମଧୁପ ଗଣ ।
ବୃଦ୍ଧ ଲୋକ ପଡ଼ିଲେ ବାଟେ
ନଦିଶନ୍ତି ଗୋଟାଏ ଥାଟେ ।
ଝୁଣ୍ଟେ ଯେବେ ଷୋଳ ବୟସୀ
ତୋଳି ନେବେ ଅଳପ ହସି ।
ହରି ତୁମେ ବଡ ଛଳିଆ
ଲଗାଇଛ କୁହୁକ ମାୟା ।
ଯିଏ ଦେବ ପକେଟ ଗୁଞ୍ଜା
ତା ଦେହରେ ବଲ୍ଲରୀ ସଞ୍ଜା ।
ତୃଷାର୍ତ୍ତକୁ ନଦେବେ ପାଣି
ବେଶ୍ୟା ପୁରେ ପାଣିର ଖଣି ।
କେମିତିକା ବିଚିତ୍ର ସୃଷ୍ଟି
କୃପଣର ସର୍ବଶ୍ୱ ମୁଠି ।
ପଥେ ମୋର କଣ୍ଟା ବିଛାଇ
ଶୋଇଗଲ ଶ୍ରୀକ୍ଷେତ୍ର ସାଇଁ ।
କଥା ଯିଏ କୁହେ ଚିକଣ
ସେହି ଏଠି ଜିତିଲା ରଣ ।
ସାଧୁ ସନ୍ଥ ଗଲେଣି ଲୁଚି
ଦେଖି ଏହି କୁତ୍ସିତ ରୀତି ।
ଯାହା ଘରେ ଧନ ରତନ
ତାହା ପୁରେ ଲକ୍ଷେ ଫଗୁଣ ।
ବୃକ୍ଷେ ଯେବେ ନଥାଏ ଫଳ
କାଟୁ ଥାନ୍ତି ହୋଇ ବିକଳ ।
ଭରା ଫଳ ଦେଖିଲେ ବୃକ୍ଷେ
ତୋଳିବାକୁ ହଜାରେ ପକ୍ଷେ ।
ମଧୁଜିବୀ ରଖିଲେ ମଧୁ
ଲୁଟୁଥାନ୍ତି କଳି ଅସାଧୁ ।
ପ୍ରଭୁ ତୁମ ଗୁହାରି ଶୁଣ
ଟିକେ ମୋତେ ଦିଅ ଶରଣ ।