STORYMIRROR

Samita Swain

Tragedy

4  

Samita Swain

Tragedy

ଦେହର ଦହନ

ଦେହର ଦହନ

1 min
472

ବାରାଙ୍ଗନା ସେ'ତ ବାରଭୋଗ୍ଯା ହୋଇ 

ପୁରୁଷ ଦେହର କ୍ଷୁଧା ମେଣ୍ଟାଇ

ଅଙ୍କ ପଲଙ୍କରେ ଉଷ୍ଣ ଚୁମ୍ବନର

ଦହନରେ ତାରତନୁ ଦହଇ।।


ନରକ ଯନ୍ତ୍ରଣା ସହ୍ଯ କରିଥାଏ

ଅଭିଶପ୍ତ ଭରା ଭାଗ୍ଯକୁ ନେଇ 

କାମୁକ ଜନଙ୍କ ମହଷୌଧି ସାଜି

କଳଙ୍କିତ ହୁଏ କଟୁକ୍ତି ସହି।।


ଘୃଣାର ପାତ୍ର ସେ ସବୁରି ପାଖରେ

ଅସ୍ତିତ୍ବକୁ ତାର ହଜାଇ ଦେଇ

ଆତ୍ମାରେ ପବିତ୍ର ଦେହ ଅପବିତ୍ର 

ନିର୍ମଳ ପ୍ରେମ'ତା ରାତିକ ପାଇଁ।।


ଆତ୍ମସତ୍ତା ତାର ହୁଏ ନିର୍ଯ୍ଯାତିତା 

କ୍ଷତାକ୍ତ ହୃଦରୁ ଝରଇ ଲହୁ

ମନର ମର୍ଯ୍ଯାଦା ଭୃଲୁଣ୍ଠିତ ହୋଇ

ଅସରା ଦୁଃଖରେ ଗ୍ରାସଇ ରାହୁ।।


ଅଜଣା ବ୍ଯକ୍ତିର ବାହୁ ବନ୍ଧନରେ

ଭାଙ୍ଗିଯାଏ ସ୍ବପ୍ନ କାମନାଗ୍ନିରେ

ହାରିଯାଏ ମନ ନିସ୍ତେଜ ଶରୀର

ରାତିକ ସାଥୀର ଆଲିଙ୍ଗନରେ।।


ବୁଝନ୍ତି ନି କେହି ଅଦେଖା ବ୍ଯଥାକୁ

ଭୋଗ୍ଯବସ୍ତୁ ପଣ୍ଯଦ୍ରବ୍ଯ ସଜାଇ

କଟାକ୍ଷ କରନ୍ତି ଶବ୍ଦ ବାଣ ମାରି

ଅସଞ୍ଜତ ହୀନ ଦୃଶ୍ଯକୁ ନେଇ।।


କ୍ଷୁଧାର ଜ୍ବାଳାରୁ ଉପଶମ ପାଇଁ

ସଂଘର୍ଷ କରେ ସେ ଶରୀର ସହ

ପରିଶେଷେ ହୁଏ ବେଶ୍ଯା, ବାରାଙ୍ଗନା

ଶୃଙ୍ଗାର ବେଶରେ ସଜାଇ ଦେହ।।


ନିଶବ୍ଦରେ ଶୁଭେ ନିର୍ଜନ ପ୍ରହରେ 

କାମୁକ ଜନଙ୍କ ସମ୍ଭୋଗ ସ୍ବର

ବିଗତ ଯୌବନ ଶେଷ ସାୟାହ୍ନରେ 

କେତେ ଦୟନୀୟ ଜୀବନ ତା'ର।।


ଜୀବନ ସଂଜ୍ଞାରେ ହୋଇ ଦୁଃଶ୍ଚରିତ୍ରା 

ଉପଭୋଗ୍ଯା ଉପଯାଚିକା ରୂପେ

ଭିନ୍ନ ପରିଚୟେ ଲିଭାଇ ଠିକଣା

ପଙ୍କ କାଦୁଅକୁ ଦେହରେ ଲିପେ।।


ଯୌବନକୁ ତାର କରି ବିସର୍ଜନ 

ଆନନ୍ଦ ଲହରୀ ଢେଉରେ ଖେଳି

ପୁରୁଷ ଜାତିଟା ହୁଏ ଗଙ୍ଗାଜଳ

କଳଙ୍କ କାଳିମା ତା ଦେହେ ବୋଳି।।



साहित्याला गुण द्या
लॉग इन

Similar oriya poem from Tragedy