ଦେବକୀ
ଦେବକୀ
ତୁମେ ହିଁ ତ ଯବନିକା ଚେତନାର ଊର୍ମି,
ଯା ଶରଧାବାଲି ଦିନେ
ଲୋଡିଥିଲା ମଶାଣୀର ଜୁଇ,
ଭରା ଯମୁନାର ଜଳେ
ଛିଞ୍ଚିବାକୁ ଅମୃତ ମଣୋହୀ ।
ଦଶମାସ ଦଶଦିନ ଗର୍ଭେ ଧରି ଧରି
ମାତୃତ୍ୱ ଯାଇଛି ଲିଭି ଅନ୍ଧ କାରାଗାରେ,
ଅସରନ୍ତି ସପନ ସଉଧ ଭାଙ୍ଗି
ସୁକୁମାରୀ ଦେବକୀ ନିକଟେ ।
ଲହୁର ବଳୟ ଡେଇଁ
ଲୁହ ଯେବେ ପାଣ୍ଡୁଲିପି ସାଜେ,
ଅର୍ଦ୍ଧରାତ୍ରୀ ପାପୁଲିର ପହରା ନମାନି -
ଶୂନ୍ୟର ଠିକଣା ମଧ୍ୟେ ଚାଲେ ଏକା ଏକା
ଶୋଇବା ଥାନରୁ ଉଠି
ବସୁଦେବ କାହାର ନିର୍ଦ୍ଦେଶେ !!!
ପୁଙ୍ଗୁଳା ଈଶ୍ୱର ବୋହି ପାର୍ଥିବ ଶରୀରେ
ଯିବାକୁ ଦିଅ ରାତିକୁ
ନ ଡାକି ପଛରୁ,
ଛାଇ ସହ ଛାଇ ମିଶି ବଢ଼ୁଥିଲେ ପାଦ
ସେହିହେବ ବାଟ ...।
ନ ଥିବ ଆଶଙ୍କା ଆଉ ନ ଥିବ ସନ୍ଦେହ
ଝଡ଼ ବର୍ଷା କମିଯିବ
ଦାଉ ଦାଉ ନିଆଁର ଧାସରେ,
ନିଃସଙ୍ଗ ସ୍ୱପ୍ନେ ଖେଳିବ
ଦୋ ଦୋ ଚିହ୍ନା ମୁହଁ ସେଇ କଂସର ଉଆସେ ,
ହଁ ଗୋପପୁର ଦାଣ୍ଡ ଠାରୁ
ବହୁତ ଦୂରରେ -
ମୁଁ ଦେବକୀ, ମାଆ ଠାରୁ ଭିନ୍ନ ଏକ ମାଆ ।