ଦଦରା ଡଙ୍ଗା
ଦଦରା ଡଙ୍ଗା
ମହୋଦଧି କୂଳେ ଜୀବନ ନଈ ମୋ
ବହି ଯାଉଅଛି ସିନା
ମୋ ସଂସାର ଡଙ୍ଗା ଦଦରା ପ୍ରଭୁ ହେ
ତୁମେ ପ୍ରଭୁ ହୁଅ ସାହା ।
ମୋ ଡଙ୍ଗାଟି ପରା ଲୋଭ, ମାୟା ମୋହେ
ହୋଇଅଛି ପରା ଭାରି
କାଠ ସବୁ ସିନା ଖତିରା ହେଲାଣି
କିପରି ବା ପାରି ହେବି ।
ଦଦରା ଡଙ୍ଗା ମୋ ସୁଅରେ ଭାସୁଛି
ଜୁଆରରେ ଭରା ନଈ
ତୁମ ଅନୁଭବ ହୃଦୟେ ଦିଅ ହେ
ସୁବିଚାର ଯାଉ ପୁରି ।
ତୁମ ଅନୁଭବେ ଲିଭିଯାଉ ପ୍ରଭୁ
ଭୟ ସଂକୋଚର ଚିହ୍ନ
ଦଦରା ଡଙ୍ଗା କୁ ପାରି କରିବାକୁ
ଦିଅ ଶକ୍ତି ଅକଳନ ।
ଦଦରା ଡଙ୍ଗା ମୋ ରାସ୍ତା ନ ପାଇଲେ
ତୁମେ ହୁଅ ବତୀଘର
ମୋ ହୃଦୟେ ପ୍ରଭୁ ଧଇର୍ଯ୍ୟ ଦିଅ ହେ
କରୁଥାଏ ମୁଁ ପ୍ରୟାସ ।
ଦଦରା ଡଙ୍ଗାର କୋଣେ ଅନୁକୋଣେ
ପ୍ରିତୀର ପରଶ ଦିଅ
ଓଁ କାର ଧ୍ଵନୀରେ ନାଚି ନାଚି ଡଙ୍ଗା
ହେଉ ଥାଉ ନଦୀ ପାର ।
ଅଥଳ ଜଳରେ ଜୁଆର ଭଟ୍ଟାରେ
ଡଙ୍ଗା ଟଳମଳ ହେଲେ
ତୁମେ ସଙ୍ଗେ ଥିଲେ ଭୟ କିବା ମୋର
ଝଡ ତୋଫାନ ଆସିଲେ ।
ଶବ୍ଦ ତରଙ୍ଗରେ ଭାସି ଯାଉ ଯାଉ
ଜୁଆରରେ ଯଦି ପଡ଼େ
ସେଇ ଜୁଆରରେ ଭସାଇ ନିଅ ହେ
ପଡ଼େ ମହୋଦଧି ଜଳେ ।
ମହୋଦଧି ଜଳେ ଭାସି ଯାଉ ଯାଉ
ନୀଳାଚଳ ଧାମ ପାଏ
ନୀଳାଚଳେ ମୁହିଁ ନୀଳକନ୍ଦରରେ
ତୋର ମୁଖ ଦେଖୁ ଥାଏ ।
ତୋ ମୁଖକୁ ଚାହିଁ ତୋ ଭାବରେ ମଜ୍ଜି
ମନ୍ଦିର ଦୁଆରେ ଥିବି
ବାଇଶି ପାହାଚେ ଗଡ଼ି ଗଡି ମୁହିଁ
ଦୁଃଖ ମୋର ଭୁଲି ଯିବି ।