ଡେଙ୍ଗା ଡିସେମ୍ବର
ଡେଙ୍ଗା ଡିସେମ୍ବର
କବିତା - ଡେଙ୍ଗା ଡିସେମ୍ବର
ରଚନା - ପଞ୍ଚାନନ ଜେନା
ତାରିଖ -୩୦-୧୨-୨୦୨୫
++++++++++++++++++
କୁଆଡ଼େ ତୋ ସହର ଏବେ ବି ଜହର
ମୂଖ୍ୟ ସମାଚାରରେ ଶୁଣି ହେଲି ଅଧିର
ପ୍ରଦୂଷଣ ପିଇ ପିଇ ହେଲାଣି ଅସ୍ଥିର
କୋଇଲା ଧୂଳି ଧୂଆଁରେ
ଗଗନ ପବନ କରେ ଚିତ୍କାର
ଧୂଆଁପତ୍ର ଧୂଆଁ ପରି ଫୁଙ୍କେ ଫୁତ୍କାର
କୁଆଡ଼େ ତୋ ସହର ଅସତ୍ୟ କବର
ଲୋକ ଦେଖାଣିଆ ଆଚାର ବିଚାର
ମିଛ ମୂଖା ତଳେ ବେଶ ଚିକ୍କଣ ପରିସ୍କାର
ଛଳନାର ଛାଲିଫୁଟା ରସପିଇ କରୁଛି ଚିତ୍କାର
ଭୂଲିଲୁଣି ବୋଧେ
ଆଲୋକର ଆରଫାଳ ପରା ନିଗୂଢ଼ ଅନ୍ଧାର
ସଫଳତାର ଅଧାଫାଳ ପରା ବିଫଳ ମୁକୁର
ନଡ଼ିଆଫାଳ ପରେ ଦିଶିଯାଏ ସତ୍ୟ ଶିବ ସୁନ୍ଦର
ଜାଣି ପାରୁନୁ ବୋଧେ
ଛଳନାର ଚକା ଉଇଁରୀ ଡେଇଁ ବିଦାୟ ନେବ ଡିସେମ୍ବର
ସ୍ଵାର୍ଥସର୍ବସ୍ୱ ବିପଣିରେ ବାଜା ବାଣ ରୋଷଣୀ ଥୋଇ
ଆସିଯିବ ନୂଆ ସମ୍ବତ୍ସର
ଭୋଜିଭାତର ଆସର ଆୟୋଜନରେ ବ୍ୟସ୍ତ ଥିବେ
ରଙ୍ଗମଖା ଲକ୍ଷ ଲକ୍ଷ ଟାଉଟର
କେମିତି ଅବୁଝା ରହୁ ତୁ ଫି ବର୍ଷ ?
କେମିତି ବୁଝି ପାରୁନୁ ତୁ ବର୍ଷ ପରେ ବର୍ଷ ?
ହେଇ ଦେଖୁନୁ
ତୋ ବିଦାୟୀ ଉତ୍ସବ ପାଇଁ କେତେ ସରସ
ତୋତେ ବାହୁଡି ଦେବା ପାଇଁ କେତେ ହରଷ
ଟିକିଏ ବି ଫୁରସତ ନାହିଁ ଅନୁଶୋଚନା ନାସ୍ତି
ଫଣ୍ଟାଏ ବି ଲୁହଟୋପା ନାହିଁ ଅନୁତାପରେ ଅଗସ୍ତି
ବଡ଼ କଷ୍ଟ ଲାଗେ ଡିସେମ୍ବର ଆସିଲେ
ବହୁତ କଷ୍ଟ ଲାଗେ କ୍ୟାଲେଣ୍ଡର ପୃଷ୍ଠାରେ ଝଲସିଲେ
ଏଗାର ମାସର ଗର୍ବ ଗୌରବର ଇସ୍ତାହାର
ଗାଁ ମୁଣ୍ଡ ଡେଙ୍ଗା ତାଳଗଛ ପରି ଲମ୍ଵେଇ ଯାଏ
ଦୁଃଖର ଦ୍ରବଣ ପରି ଲମ୍ବେଇ ଯାଏ
ଡିସେମ୍ବର ମାସଟା ଆହୁରି ପ୍ରସରି ଯାଏ
ସତେ ଯେମିତି
ଶାଶୁ ଘରକୁ ଯିବା ବେଳକୁ ବିଦାୟୀ ଝିଅ ଯେମିତି
ଲୁହ କାକୁସ୍ଥ କାନ୍ଦୁରା ଆଖିରେ
ବାରମ୍ଵାର ପଛକୁ ଫେରି ବାହୁନୁଥାଏ
ଡିସେମ୍ବର ମାସଟା ବିଦାୟୀ ଲଗ୍ନରେ ଆହୁରି ଡେଙ୍ଗା ତିଶୁଥାଏ
ସତେ ଯେମିତି
ଏକତିରିଶ ଦିନିଆ ଡିସେମ୍ବର ମାସଟା
ବରଗଛ ଓହଳ ପରି ଆହୁରି ଲମ୍ବିଯାଏ
ସରୁ ନ ଥିବା ଜାତୀୟ ରାଜପଥ ପରି ଆହୁରି ଲମ୍ବାଳିଆ ଲାଗୁଥାଏ
ସରୁ ନ ଥିବା ଲାଇଫ ବୟ ସାବୁନ ଟୁକୁରା ପରି
ବେଶ୍ ଡଙ୍କେଇ ବଙ୍କେଇ କୁନ୍ଥେଇ କମ୍ପେଇ
ମାସ କୋଣରେ କମ୍ବଳ ଘୋଡେଇ ଚେଇଁ ଶୋଇଥାଏ
