ଚନ୍ଦ୍ରମା
ଚନ୍ଦ୍ରମା
ଜହ୍ନ ପରି ଫୁଲ ପରି ଢଳ ଢଳ ସୁକୋମଳ
ପ୍ରିୟତମା ତୁମେ ମୋ ଚନ୍ଦ୍ରମା
ଆମେ ଦୁହେଁ ଏକ ମନପ୍ରାଣ
କାୟା ପଛେ ଛାୟା ପରି ବିଜଡ଼ିତ
ଆମ ସ୍ୱପ୍ନ ସବୁଜ ସୁନ୍ଦର
ନୁହଁ ଭିନ୍ନାଭିନ୍ନ ।
ଜହ୍ନ ଯେବେ ଫିକା ଦିଶେ
ଲୁଚିଯାଏ ବାଦଲ ଉହାଡେ
ଉଙ୍କିମାରେ ଝରକା ଫାଙ୍କରେ
ସଞ୍ଜବତୀ ଜାଳି ପ୍ରିୟା ଚଉଁରା ମୂଳରେ
ନିତି କିନ୍ତୁ ମଙ୍ଗଳ ମନାସେ
ମୁହଁରୁ ତା ଜୋଛନା ଝଲସେ
ତା ଆଖିରେ ସ୍ୱରୂପ ମୋ ଅବିକଳ ଦିଶେ
ପ୍ରଫୁଲ୍ଲ କମଳ ଫୁଟେ ମନ ସରୋବରେ
ମଳୟ ସମୀର ବହେ ସପ୍ତରଙ୍ଗେ
ଇନ୍ଦ୍ରଧନୁ ଶୋହେ ।
ସୁରଭିତ ମନ୍ତ୍ରମୁଗ୍ଧ ସମ୍ମୋହନ
ପ୍ରିୟତମା ନିବିଡ଼ ଅଶ୍ଳେଷ
ପ୍ରେମମଧୁ ସୁସମ୍ପର୍କ ଅତୁଟ ବନ୍ଧନ
ଅନୁପମା ପ୍ରିୟତମା ସାଥୀ ହୋଇ
ଚାଲିବାକୁ କଥାଦିଏ
ଇହପର କାଳ
ଜୀବନର ଆଲୋକ ଉନ୍ମେଷେ
ଜୀଏ ମୁଁ ଆତ୍ମ ସୁବିଶ୍ୱାସେ।
ବୁଝି ମୁଁ ପାରିଛି ଅଳ୍ପ
ଶିଖିବାକୁ ଅଛି ବାକି
ଜୀବନରେ ଆହୁରି ବହୁତ
ପ୍ରିୟତମା କହୁଛି ମୁଁ ସତସତ
ଛନ୍ଦି ହାତ ଚାଲୁଛି ମୁଁ ଚାଲୁଥିବି
ତୁମ ସହ ହାତ
ଅନାଦି କାଳ ପର୍ଯ୍ୟନ୍ତ
ଅସରନ୍ତି ଜୀବନର କଣ୍ଟକିତ ପଥ
ସୁମହତ ଆମ ଲକ୍ଷ୍ୟ
ହେଉ ପଥ ଯେତେ ଦୂର
ପଡିବନି ଥକି କେବେ
ପ୍ରିୟତମା ଚନ୍ଦ୍ରମା ଗୋ
ତୁମ ସାହଚର୍ଯ୍ଯେ ହେବି
ନିଶ୍ଚେ ପୂର୍ଣ୍ଣ ମନସ୍କାମ।