ଜୀବନ ମୂର୍ଚ୍ଛନା
ଜୀବନ ମୂର୍ଚ୍ଛନା
ବୁଝି କେ ପାରିବ ଅମୃତ ମହିମା
ମମତା ଅମୂଲ ମୂଲ
ମାଆର ପଣତ ଛାୟା ସୁଶୀତଳ
ସୁଖ ନାହିଁ ତାର ତୁଲ ।
ଝଲସେ ଜୀବନ ସୁଖ ଚାରିଧାମ
ମା କୋଳେ ଭରସା ମିଳେ
ମାଆ ପାଦଧୂଳି ମୁଣ୍ଡରେ ବୋଳିଲେ
ଖଣ୍ଡଇ ଦୂରିତ ହେଳେ
ଡାକିଦେଲେ ତୁଣ୍ଡେ ମାଆ ମାଆ ବୋଲି
ଖୋଲେ ବନ୍ଦ ଭାଗ୍ଯ ଦ୍ବାର ।
ଶକ୍ତି ସ୍ବରୂପିଣୀ ଜନନୀ ଭଗିନୀ
ନିର୍ଝର ଅମୃତମୟ
ପ୍ରବହନ୍ତି ସ୍ବଚ୍ଛ ସଲୀଳ ଅକାଳେ
ସୃଷ୍ଟି ହୁଏ ଜୀବନ୍ମୟ
ରୂପ ରସ ଗନ୍ଧ ବିବିଧ ବର୍ଣ୍ଣରେ
ହସି ଉଠେ ଦୁଇ କୂଳ ।
ମିଳଇ ଆନନ୍ଦ ସେନେହ ସୋହାଗ
ଭଉଣୀ ରାକ୍ଷୀ ବାନ୍ଧିଲେ
ଚହଟେ ସୁବାସ କନ୍ଯା ଅଲିଅଳୀ
ମୁହଁରେ ହସ ଫୁଟିଲେ
ମର୍ଯ୍ଯାଦା ସମ୍ପନ୍ନା ନାରୀ ନାରାୟଣୀ
ଜୀବନର ମୂଳାଧାର ।
ବିତରଇ ସ୍ନେହ ମମତା ସୋହାଗ
ଅନୁରାଗ ପ୍ରେମପ୍ରୀତି
ଉନ୍ମେଷେ ଅଙ୍କୁର ଆତ୍ମାର ସ୍ବାକ୍ଷର
ଜାୟା ରୂପେ ପତ୍ନୀ ସାଥୀ
ତୋଳେ ମଧୁମୟ ଜୀବନ ମୂର୍ଚ୍ଛନା
ସଙ୍ଗୀତର ସାତ ସ୍ବର ।