ଗ୍ରୀଷ୍ମଦିନ ସନ୍ଧ୍ଯା
ଗ୍ରୀଷ୍ମଦିନ ସନ୍ଧ୍ଯା
ଗ୍ରୀଷ୍ମ ଦିନ ସନ୍ଧ୍ଯା ବୁଢୀ ମାଆ ପରି
ଆସି ପାଶେ ନଇଁ ନଇଁ
ଖୋଲେ ଗପ ପେଡି ପାକୁଆ ପାଟିରେ
ହସେ ଖିଲିପାନ ଖାଇ ।
ପୋଛିଦିଏ ଝାଳ ପଣତେ ତାହାର
ଅଣ୍ଡାଳି ଅନ୍ଧାରି ଠଣା
ଗୁଡରେ ଗୋଳାଇ ପାଚିଲା ବେଲକୁ
ପିଆଏ ବଳାଇ ପଣା ।
ଶୁଣାଏ କୁମାର କୁମାରୀ ଚରିତ
ଦୂତ ସାଜେ ଶୁକଶାରୀ
ଅଗନା ଅଗନି ବନସ୍ତେ ବୁଲାଏ
ଯାଦୁ କଠଉକୁ ମାଡି ।
ଘୋଡା ପକ୍ଷୀରାଜ ଯାଏ ଉଡି ଉଡି
ଗତି ତା ମନପବନ
ବୁଢୀ ଅସୁରୁଣୀ ବଡ ଭୟଙ୍କର
ମରଣ ତା ଇଚ୍ଛାଧୀନ ।
କାଚକେନ୍ଦୁ ପାଣି ସାତତାଳ ପଙ୍କ
ତଡାଗେ ସୁନା ଫରୁଆ
ଖୋଜି ରଜାପୁଅ ମାରିଲେ ଭଅଁର
ଖୁସି ହୁଏ ରାଜକନ୍ୟା ।
ଗପ ଶୁଣୁ ଶୁଣୁ ଲାଗିଯାଏ ଆଖି
ସପନ ମୋ ଭାଙ୍ଗିଯାଏ
ଆକାଶରେ ଜହ୍ନ ମହକ ଚନ୍ଦନ
ମନ ସ୍ମୃତି ଝୁରିହୁଏ ।।