ପଥ ଦୁର୍ଗମ
ପଥ ଦୁର୍ଗମ
ଲାଗେ କ୍ଲାନ୍ତ ଶ୍ରାନ୍ତ ଲକ୍ଷ୍ଯ ପଥଭ୍ରଷ୍ଟ
ଜୀବନର ଯାତ୍ରା ନୁହେଁ ସ୍ବଚ୍ଛନ୍ଦ
କେବେ କଣ୍ଟକିତ ବଡ ଅସହଜ
ଅଜଣା ଜୀବନ ପଥ ଦୁର୍ଗମ ।
ଧାଇଁ ଧାଇଁ ସୁଖ ମୃଗତୃଷ୍ଣା ପଛେ
ହଜିଗଲା ଶାନ୍ତି ମର୍ଯ୍ଯାଦା ମାନ
ସୁନାର ହରିଣୀ ଲୋଭବଶ ହୋଇ
ଭୋଗଇ ମଣିଷ ଦୁଷ୍ପରିଣାମ ।
ଥାଇ ସବୁକିଛି ସୁଖର ସାଧନ
ହଜି ଯାଉଅଛି ଆଖିର ନିଦ
ଆରାମଦାୟକ ଶେଜ ତୂଳିତଳ୍ପ
ଭୁରି ବ୍ୟଞ୍ଜନରେ ନାହିଁ ସୁଆଦ ।
ଲାଗେ ଭାରି ତୃଷା ପାନୀୟ ଦୂଷିତ
ମରିଯାଏ ଭୋକ ନ ରୁଚେ ଖାଦ୍ଯ
ମମତା ନିର୍ଝର ସ୍ନେହ ପ୍ରୀତି ପ୍ରେମ
ଅବିଶ୍ବାସ ବିଷେ ଶୁଷ୍କ ସମ୍ବନ୍ଧ ।
ସହି ହୁଏ ନାହିଁ କହି ହୁଏ ନାହିଁ
ଅନ୍ତର ବେଦନା ମନର ବ୍ଯଥା
ଦୁର୍ବିସହ ବଡ ଜୀବନ ଯନ୍ତ୍ରଣା
ଜଳିପୋଡି ନଷ୍ଟ ମାନବିକତା ।
ଅଧମରା ହୋଇ ବଞ୍ଚିଛି ମଣିଷ
ନିଜ ସହ ନିଜେ କରେ ସଂଗ୍ରାମ
ଭିଡେ ଅହର୍ନିଶ ଦୁର୍ଭାଗ୍ଯ ସହିତ
ସ୍ରୋତ ପ୍ରତିକୂଳେ ସମ୍ଭାଳି ମଙ୍ଗ ।