ଚିତ୍ର ଶିଳ୍ପୀ ସସ୍ମିତାମହାରଣା
ଚିତ୍ର ଶିଳ୍ପୀ ସସ୍ମିତାମହାରଣା
ଓଡ଼ିଶା ପ୍ରସିଦ୍ଧ ଶିଳ୍ପ କଳାର ସହର
ବିଶ୍ୱେ ଖ୍ୟାତି ଲଭୁ ଅଛି ଯିଏ ନିରନ୍ତର ।
ରଘୁରାଜପୁର ସେହି ତା' କୋଳେ ଜନ୍ମିତ।
ମହାରଣା, ବଂଶେ ନାମ ତାହାଙ୍କ ସସ୍ମିତା ।
ହସ୍ତକଳା ପଟ୍ଟଚିତ୍ର ସୁମଞ୍ଜୁଳ ତର
ତୂଳୀ ରେ ତାହାଙ୍କ ଫୁଟେ ଔଜଲ୍ୟ ରୁଚିର ।
ଚିତ୍ରେ ରୁଚି ରଖୁଥିବା ପ୍ରତିଭା ପ୍ରଭାବ
ଭରା ଯେ ଅନନ୍ୟ ସ୍ୱାକ୍ଷର, ସୁରଭି, ଭାବ ।
ରୁଚି ରସ ମୟ ଶୋଭା ପରିପୂର୍ଣ୍ଣ ବିଭା
ମୁଗ୍ଧ କର ଲାଳିତ୍ୟର ସୁଲଳିତ ପ୍ରଭା ।
ପ୍ରକଟିତ ଚିତ୍ର ଆଙ୍କି ପ୍ରକାଶନ୍ତି ଦିବ୍ୟ
ଚେତନା, ମୂଳକ, କଳା କୌଶଳ ପାଟବ ।
କାରୁ କମ କାରିଗରି ବର୍ଣ୍ଣାଢ଼୍ୟ ପାଟବେ
ଅଙ୍କନ୍ତି ସେ ଚିତ୍ର କଳା ସୁବିପୁଳ ଭାବେ ।
ଶୋଭା, ବିଭା, ବର୍ଣ୍ଣ, କାନ୍ତି, ଦ୍ୟୁତୀ ଓ ଔଜଲ୍ୟ
ରମ୍ୟ ମନୋରମ ଦୃଶ୍ୟ ଅତୀବ ଅମୂଲ୍ୟ ।
ସୂକ୍ଷ୍ମ କଳା କଉଶଳୀ ଶିଳ୍ପୀ ସେ ସସ୍ମିତା
ବିସ୍ମିତ କରନ୍ତି ଆଙ୍କି ଚିତ୍ର ପାଟବତା ।
ପୁରୀ ଜିଲ୍ଲା ରଘୁ ରାଜ ପୁର ଗ୍ରାମ ଠାରେ
ଜନ୍ମ ଉଣାଇସ ଶହ ତେୟାଅଶୀ ମସିହାରେ ।
ପିତା ତାଙ୍କ କ୍ଷେତ୍ରବାସୀ ମାତା କୁମୁଦିନୀ
ଆବାଲ୍ୟରୁ ଶିଳ୍ପ ଆଉ, ଚିତ୍ର ଅଭ୍ୟାସିନୀ ।
କୌଳିକ ବୃତ୍ତିର ପରି ପ୍ରସାର ପାଇଁ କି
ପଣ କରି ଚିତ୍ରାଙ୍କନେ ପ୍ରବୃତ୍ତ ଅଛନ୍ତି ।
ବହୁ ଶ୍ରମ କରି ହସ୍ତ ଶିଳ୍ପ ନିର୍ମାଣନ୍ତି
ପ୍ରଗାଢ଼ ଉଦ୍ୟମ ଏକାଗ୍ରତା ମୂର୍ତ୍ତିମତି ।
ହୋଇ ଉକୁଟାଏ, ରସ ସ୍ନିଗ୍ଧ ଚାରୁ ଧାରା
ଦର୍ଶନେ ତୃପ୍ତି ରଞ୍ଜନ, ମନ ନେତ୍ର କାରା ।
କଳାର କାଉଁରୀ ସ୍ପର୍ଶେ ବର୍ଣ୍ଣାଢ଼୍ୟ ବରଣ
ସସ୍ମିତାଙ୍କ ଚିତ୍ରାବଳି ଜିଣେ ଜନ ମନ ।
ବହୁ ଛାତ୍ର ଛାତ୍ରୀଙ୍କୁ ସେ ଦିଅନ୍ତି ପ୍ରେରଣା
ଚିତ୍ର କଳା ପ୍ରଶିକ୍ଷଣେ ନବ ସମ୍ଭାବନା ।
