ଚିତ୍ର ଚରିତ - 49 କବିତା: ବାଳୁଙ୍ଗା ଚାଷ
ଚିତ୍ର ଚରିତ - 49 କବିତା: ବାଳୁଙ୍ଗା ଚାଷ
ବାଳୁଙ୍ଗା ଚାଷ ହେଉଛି ଏବେ ବିଛୁଆତିକୁ ଆଦର,
ଗାଈ ଗୁହାଳେ ମଶାର ଦାଉ କୁକୁର ପାଇଁ ଚାଦର |
ନିଜର ମାଆ ବେମାର ଅଛି ମୋ ଶାଶୂ ସେବା ପାଉଛି,
ଭଣ୍ଡବାବାଙ୍କୁ ପୂଜେ, ମୋ ବାପା ବୃଦ୍ଧାଶ୍ରମକୁ ଯାଉଛି |
ଜଗନ୍ନାଥ ଯେ ପରମବ୍ରହ୍ମ ତାଙ୍କୁ ଆଡ଼େଇ ରହୁଛି,
ଗୁରୁ ନାମରେ ବାବା ମନ୍ଦିରେ ସୁନା ମୁକୁଟ ଦେଉଛି |
ଆମ୍ବ ନଡ଼ିଆ ପଣସ ତୋଟା ଦେଉଛି କାଟି ଊଡ଼େଇ,
କୃଷ୍ଣଚୂଡ଼ା କି ଆକାଶିଆର ବଂଶ ଦେଉଛି ବଢେଇ |
ଉଚ୍ଚ ଶିକ୍ଷିତ ବସୁଛି ଘରେ ଗଣ୍ଡ ପାଉଛି ଚାକିରି,
ମୂଲିଆ ବସି ତାଆସ ଖେଳେ ଜମି ମାଲିକ ଭିକାରି |
ସଚ୍ଚା ମଣିଷ ବୁକୁଚା ବୁହେ ଲାଞ୍ଚୁଆ ମାରେ ସୁସୁରୀ,
ଲୁଟେରା ଚଢେ ଦାମୀ ମୋଟର ଗଢେ ଚଉଡ଼ା ପାଚେରୀ |
ଖାଦ୍ୟର ଆଉ ନାହିଁ ଆଦର ଅଖାଦ୍ୟ ବିକ୍ରୀ ହେଉଛି,
ନିଷ୍ଠାରେ ଯିଏ କରୁଛି କାମ ଆଢୁଆଳରେ ରହୁଛି |
