ଚିନ୍ମୟ ସମ୍ପଦ
ଚିନ୍ମୟ ସମ୍ପଦ
ସ୍ବପ୍ନ ଏକ ସମ୍ଭାବନା ଏକ ପ୍ରଲୋଭନ,
ଉଚ୍ଚାଟ ପ୍ରଗଳ୍ଭ ମନେ କରେ ବିଚରଣ।
ସ୍ବପ୍ନର ଘନିଷ୍ଠ ଭାବ ଅତ୍ୟନ୍ତ ଅଜଵ,
ମନେହୁଏ ସତ୍ୟ ମାତ୍ର ସ୍ଵାଦ ତା ଅପୂର୍ବ।
ତା ରଙ୍ଗୀନ ସଂସ୍କରଣ ସମ୍ଭାବନା ତୋଳେ
ଅପୂର୍ବ ଧ୍ବନିରେ ମନ ନାଚେ ତାଳେତାଳେ।
ଜୀବନ୍ତ ଲାଗଇ ଚିତ୍ର ସୃଜନେ ସକ୍ଷମ,
ଛାୟା ଭଳି ଅପସରେ ସୃଷ୍ଟି କରି ଭ୍ରମ!
ମନ ଉପତ୍ୟକା ସୁବିଶାଳ ଓ ଅସ୍ଥିର
କାଳ୍ପନିକ ବିକଳ୍ପ ସେ ଅସ୍ଵସ୍ତିର ଘର!
ଚେହେରା ତା କମନୀୟ ସଵୁଠୁ ସୁନ୍ଦର
ପ୍ରାଣ,ଆତ୍ମା ଭ୍ରମୁ ଥାଏ ଖୋଜେ ନିରନ୍ତର
ସ୍ଥୁଳ ମନ କୌତୁହଳେ ସତ୍ୟ ଯା'ରେ ମଣେ
ଵସ୍ତୁ ନୁହେଁ ଧୂମକେତୁ ସୂକ୍ଷ୍ମ ହିଁ ବିଚାରେ।
ମୁହୂର୍ତ୍ତର କରାମତି ନିଦ୍ରା ଅଭିଭୂତେ
କ୍ଷଣିକେ ଆନନ୍ଦ ଦିଏ କ୍ଷଣେ ବଜ୍ରପାତେ!
ସ୍ଥୂଳ ସୂକ୍ଷ୍ମ ଆଵେଶରେ ବାନ୍ଧି ହୋଇ ମନ
କ୍ଷଣସ୍ଥାୟୀ ପ୍ରତିମାକୁ ଭାଵେ ପୁଣପୁଣ!
ଇନ୍ଦ୍ରିୟ ସୁସୁପ୍ତ ସ୍ତର ଉନ୍ମୋଚିତ ହେଲେ,
ଜ୍ୟୋତିର୍ମୟ ଆବରଣ ଖୋଲିଯାଏ ଭଲେ।
ଜୀବନରେ ସଵୁ ଦୃଶ୍ୟ ଚଳମାନ ଛବି,
ସୂକ୍ଷ୍ମମନ ସେ ସଵୁକୁ ପାରେ ଅନୁଭଵି।
ଚଳଚିତ୍ର ଜୀବନରେ ସମାପ୍ତ ହିଁ ସତ୍ୟ,
ଚିନ୍ମୟ ଯେ ସଂପଦ ତାକୁ କର ପ୍ରାପ୍ତ।