STORYMIRROR

Suniti Devi

Others

4  

Suniti Devi

Others

ବିସର୍ଜନ

ବିସର୍ଜନ

1 min
271


ଯାହାକୁ ଗଢି ନିଃଶ୍ବାସଟେ ଭରିଥିଲେ ତା ଛାତିରେ,

ଦେଇଥିଲେ ଭ୍ରୁଲତାର ତଳେ ଆଖିରେ ଅଞନ,

ଓଠରେ ଦେଇଥିଲେ ଲାବଣ୍ୟମୟ ହସ

ହାତରେ ଧରାଇଥିଲେ ପାପୀ ଵିନାଶର ଅସ୍ତ୍ର,କପାଳରେ ଦେଇଥିଲେ ସିନ୍ଦୂରର ଵିନ୍ଦୁ

ଆଭୂଷଣରେ ଦେଇଥିଲେ ଭାବାତ୍ମକ,କଳାତ୍ମକ ସତ୍ତା

ପରମ୍ପରାରେ ନିର୍ଵାଚିତ ପ୍ରଚଣ୍ଡ ସାମର୍ଥ୍ୟ,ଆଧ୍ୟାତ୍ମିକ ବିଶ୍ବାସର ଅସ୍ତିତ୍ଵରେ ଅନିର୍ଵଚନୀୟ ମହାନ୍ ସେଇ ଶକ୍ତି ମା!ଶାରଦୀୟ ପାର୍ଵଣର ଅବର୍ଣନୀୟ ବିଶାଳତାର ଅନ୍ତର୍ଧ୍ଵନି ମା!

ନିଖିଳ ପ୍ରାଣର ଆହ୍ଲାଦନକାରୀ ମା!ଅହଂ,କ୍ଷମତା ପ୍ରମତ୍ତ ସତ୍ତାକୁ ବିଦୀର୍ଣ କରିବାପାଇଁ ଆୟୂଧଧାରିଣୀ ମା!

ଅପରୂପା,ଭୁଵନମୋହିନୀ,

ମର୍ତ୍ତ୍ୟମୋହିନୀ ଶାନ୍ତି,ମୈତ୍ରୀ, ପ୍ରୀତି ପ୍ରଦାୟିନୀ ମା!

ପରିତ୍ରାଣର ଖଡ୍ଗଧାରିଣୀ ମା!

ସୃଷ୍ଟିର ଅନନ୍ତ ରହସ୍ୟର ହେତୁ ହୋଇ କାହିଁ ହଜିଗଲ ତୁମେ!

ଚେତନାର ଉତ୍ତୋରଣ ପାଇଁ ଆବିର୍ଭୂତା ହୋଇ ଅନ୍ଧାରରେ ମିଶିଗଲ ଅବା,ନିର୍ଜୀବ ଶରୀର ତୁମ ଭାସୁଅଛି ଜଳେ!

ଲୁହ ଲହୁର ଧାରଟିଏ ପାଲଟିଗଲ ଅବା ମାଟିର ନିଵିଡତାକୁ ସ୍ପର୍ଶ କରି!

ରହିଗଲ କେଉଁ ଅଜ୍ଞାତବାସରେ,

ମେଘକୁ ଘେରି ରହିଛି ପୁଳାପୁଳା ହାହାକାର,ପୁଣିଥରେ ଆଧିଭୌତିକ ଚିତ୍ରଟିଏ ଜଡାଇ ଧରିଵ ଏ ମଣିଷକୁ,ପୁଣି ଏକ ନୂଆ ମିଥ୍ ଜନ୍ମ ନେବ!

ପୁଣି କେତେକେତେ ନିଦାରୁଣ ଘୁର୍ଣି ରକ୍ତାକ୍ତ କରିବ ଏ ମାଟିକୁ

ସଵୁ ପରାସ୍ତ ମଣିଷଙ୍କ ଶୁଭୁଥିବ ଆର୍ତ୍ତ ଚିତ୍କାର!ଯୋଡିଏ ହାତ ଲମ୍ବି ଯାଉଥିବ ଶୂନ୍ୟକୁ ଯୋଡା ହେଇ

କେବେକେଵେ ଉଜ୍ଜ୍ଵଳ ସୂର୍ଯ୍ୟମଣ୍ଡଳ ଟପି ଅନ୍ଧ ପତଙ୍ଗ ପରି ଘୁରିବୁଲୁଥିବ ଅନୁସନ୍ଧାନରେ

ତଥାପି ଫାଟି ପଡୁଥିବ ଏ ମାଟି

କିଛି ଅଶୁଦ୍ଧ ବର୍ଵର ଆଚରଣରେ

ଆସ ମା!ଫେରାଇ ଦିଅ ମାତୃତ୍ଵର ଗୌରଵ!ତମ ଅସ୍ତିତ୍ଵକୁ ଜଗାଇ ଦିଅ ଏ ବୀରଭୋଗ୍ୟା ବସୁନ୍ଧରାର ପାପସୁଆଙ୍ଗ ଭିତରେ,ନଡା କୁଟାରେ ତିଆରି ତୁମେ ପ୍ରତିମା ନୁହେଁ ମା!

ତୁମେ ସ୍ଵୟଂ ସଂପୂର୍ଣ ସ୍ଵୟଂସିଦ୍ଧା!

ନାରୀ ଆତ୍ମାର ଶାଶ୍ବତ ଉଚ୍ଚାରଣ

ତୁମେ ତ ଅଦୃଶ୍ୟ ମର୍ମର, ଅନିର୍ଵାପିତ ଧ୍ଵନି,ସୁମନସ ସତ୍ୟ

ଏକ ଲେଲିହାନ ଅଗ୍ନିଶିଖା

ତୁମର କି ବିସର୍ଜନ ହୋଇପାରେ!

ତୁମେ ସଦା ଆତ୍ମାରେ ପ୍ରକଟିତ ଥାଅ ମା!ସର୍ଵତ୍ର ଅଦୃଶ୍ୟରେ ପ୍ରକଟିତ ଥାଅ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍