ଏକ ତଲ୍ଲିନତା
ଏକ ତଲ୍ଲିନତା
ଏକ ତଲ୍ଲିନତା
ତୁମେ ମୋର ହସକୁ ମାପିଛକି!
ମାପିଛକି ସ୍ଵଚ୍ଛନ୍ଦ ଆନନ୍ଦର ଡେଣାକୁ
କ୍ଳାନ୍ତିହୀନତାର ରାସ୍ତାରେ ଖୁନ୍ଦି ଦେଇଛ କି ବିଶ୍ବାସ!
ଇଚ୍ଛାମାତ୍ରକେ ହାତ ଧରି କୁରୁଳି ଯାଇଛ ନିର୍ଦ୍ଵନ୍ଦରେ,
ଗୋଟେ ଆବୋରିଲା ପଣରେ ସଂଲଗ୍ନ ହେଇଛ!
ମୋ ନୀଳ ଶାଢିର ଫାଙ୍କରେ ଦେଖିଛ ଜିଇଁବାର ସ୍ବପ୍ନ!
ଅନ୍ଵେଷଣ କରିଛକି କିଛି ଅପୂର୍ଣତାକୁ!
ପ୍ରଶମିତ କରିଛ ତମ ବିନା ଆୟାସରେ ଛୋଟଛୋଟ ସାନ୍ନିଧ୍ୟ!
ଦେହର ଶ୍ୟାମ ଇଲାକାରେ କେହିଜଣେ କଷ୍ଟପାଏ,
ଦେହକୁ ଏକଲା ଭାଵରେ ଵାସନ୍ତିକ କରିବାକୁ ହୁଏ
ଆନନ୍ଦକୁ କୋଳରେ ଝୁଲାଇଵାକୁ ହୁଏ!
ଏକ ଆତ୍ମୀୟତାର ସୁଗନ୍ଧ ଚିତ୍ରକଳ୍ପ,ଏକ ଶାଵ୍ଦିକ ତଲ୍ଲୀନତାରେ ବୁଡିବାକୁ ହୁଏ
ନାଁ ସେଠିଥାଏ ମରଣର ଭୟ
ନାଁ ଥାଏ ଅନ୍ଧାର,ନାଁ ଧୁସର ଧୂଳିର ପଟଳ!
କିଛି ଓଦା ସୁଖର ମାଦକତା ଚିର କାଳ ବିହ୍ଵଳ କରେ!
ପାରିଛ କରି ଆର୍ଦ୍ର ସେ ସୁଖରେ ମୋତେ!ସଵୁ ତୁମେ କୁହ ଅପହଞ୍ଚ!
ତମେ କଣ ଖାଲି ବଞ୍ଚିଵାପଣଟି ଜାହିର କର ମୋ ଉପରେ?
ବିରହରଗୀତଟିକୁ ତୁମେ ବାରମ୍ଵାର ଅଯଥାରେ ପୁନରାଵୃତି କର!
ଥରଟେ ତମ ନୀରବ ପ୍ରାର୍ଥନାରେ
ମୋର ସମଗ୍ର ଚେତନାକୁ କୋମଳ କରିଛ?
ଫୁଟାଇଛ ଏକାକୀପଣର ଔଦାତ୍ୟକୁ ମୋ ଭାବର ଆବେଶରେ!
ମୁଁ ମୋ ଦୁଇଟି ଆଖିରେ ବଞ୍ଚିଵା ପାଇଁ ଦୁଇପାଦ ମାଟି ମାଗିଥିଲି ତମଠୁ!
ତମେ ମୋ ଦୃଶ୍ୟ ଆକୃତିରେ କିଛି ଆଦିମତା ଅନ୍ଵେଷଣ କଲ,
ତମେ ମୋ ଆନନ୍ଦକୁ ଅଣହେଳା କରିଛ।
ତମ ଆତ୍ମସନ୍ତୋଷ ହୁଡିଛି ମୋତେ,ମୋର ନିରପେକ୍ଷ ଆନନ୍ଦର ଆକସ୍ମିକ ନୁହେଁ
ତମ ବିନା ବି ମୁଁ ଆନନ୍ଦରେ ପୂର୍ଣ୍ଣତା ଅର୍ଜନ କରିବି
ତମ ପରିସୀମା ଚେତନାକୁ ବିରୋଧ କରିବି।