ଚିଲିକାରେ ସନ୍ଧ୍ୟା
ଚିଲିକାରେ ସନ୍ଧ୍ୟା
ଦୂରେ କାଳିଜାଇ ନାଆକୁ ତୋହର,
ବାହି ନେ, ଆରେ ନାଉରୀ,
ବସିଛି ବନିତା ଯିବ ଶାଶୁଘର,
ନେଇ ଯାଆ ସେହି ପାରି I
ମରାଳ ଯୁଗଳ ସାଥିରେ ଉଡନ୍ତି,
ନୂଆ ନୀଡ଼ ଗଢିବାକୁ,
ନାଆରେ ଯାଉଛି ନବବିବାହିତା
ସଂସାର ସଜାଡ଼ିବାକୁ I
ରକ୍ତିମ ଆଭାରେ ସୁରୁଜ ଭରୁଛି,
ଜଳୁଛି ସାରା ଗଗନ,
ନବବଧୂ ଦେହ ଶୀତେଇ ଦେଉଛି,
ସୁଲୁସୁଳିଆ ପବନ I
କାତ ତୋର ଗୀତ ଗାଉ ଅଛି ସତ,
ଚହଲେ ଚିଲିକା ଜଳ,
ପ୍ରିୟର ଚାହାଣି ଖୋଜୁଅଛି କିନ୍ତୁ,
ପ୍ରିୟାର ଆଖି କଜ୍ଵଳ I
ଆଉ କେତେ ଡେରି ହେବରେ ନାଉରୀ,
ସଞ୍ଜ ଯାଉଅଛି ଗଡି,
ଚିଲିକାର ଢେଉ ଉଠୁଛି ପଡୁଛି,
ପାଖାଏ ମିଳନ ଘଡ଼ି I
ଝୁରି ହେଉଅଛି ପ୍ରିୟତମ ସେଠି,
ରାତି କି ପାହିବ ଜାଗି?
ଚିଲିକାର ଖଗ ନଭକୁ ଉଡୁଛି,
ନୀଡ଼କୁ ଫେରିବା ଲାଗି I
ଘରୁ ହୋଇ ପର,
ପରର ଘରକୁ-କରିବ ଆଜି ନିଜର,
ତୋହର କଣ୍ଠରୁ ଝରାଇ ଆଶିଷ
କରାଓ ବିଦା ଝିଅର !