ଛତ୍ରଛାୟା
ଛତ୍ରଛାୟା
ଅଟନ୍ତି ଅଭିଜ୍ଞ ଜ୍ଞାନ ପରିପୂର୍ଣ୍ଣ
ସମାଜେ ବୟସ୍କ ଜନ
ନୁହଁଇ ଅଲୋଡା ତାଙ୍କର ଜୀବନ
ଲୋଡେ ଆଦର ସମ୍ମାନ ।
ଅଟନ୍ତି ବୟସ୍କ ପୂର୍ଣ୍ଣତା ପ୍ରତୀକ
ଜୀବନର ବାସ୍ତବତା
ତାଙ୍କ ଶୁଭାଶିଷେ ହୁଏ ମନୋରଥ
ଚରିତାର୍ଥ ସତ୍ଯ କଥା ।
ବିଶ୍ବାସର ଯୋଗ୍ଯ ନୁହେଁ ଅର୍ଦ୍ଧସତ୍ଯ
ଦୁୁର୍ବୋଧ୍ଯ ଅର୍ଦ୍ଧେକ ସ୍ବପ୍ନ
ଜଟିଳ ଜୀବନ ଗଣିତ ଲୋଡଇ
ସୁସଙ୍ଗତ ସମାଧାନ ।
ମହା କଳ୍ପବୃକ୍ଷ ସଦୃଶ ବୟସ୍କ
ଫଳଛାୟା ସମନ୍ଵିତ
ଆଶିର୍ବାଦ ତାଙ୍କ ଲଭିଲେ ସଂସାର
ପଥ ହୁଏ କୁସୁମିତ ।
ଆସୁ ଝଡଝଞ୍ଜା ଯେତେ ବାଧାବିଘ୍ନ
ସ୍ଥିତପ୍ରଜ୍ଞ ବୟଃବୃଦ୍ଧ
ସବୁଜ ସୁନ୍ଦର ତୋଳି ଛତ୍ରଛାୟା
ରଖନ୍ତି ମୂଳ ସୁଦୃଢ ।
ନୁହଁଇ ଜୀବନ ବ୍ଯକ୍ତି ରାଜ୍ଯ ଦେଶ
ବଜାର ସଉଦା ମାତ୍ର
ଟଙ୍କା ପଇସାରେ ହେବ କିଣିବିକି
ଗଣି ମୂଲ୍ଯ ଚଢା ଦର ।
ହୃଦ ସରୋବରେ ସାତତାଳ ପଙ୍କ
ବିକଶି ପ୍ରସ୍ଫୁଟେ ପଦ୍ମ
ଦଗ୍ଧୀଭୂତ ପ୍ରାଣ ପାଉଁଶେ ବୟସ୍କ
ଶିଖା ତୋଳେ ଲେଲିହାନ ।
ବୟସ୍କ ଜନଙ୍କ ନୀତି ଉପଦେଶ
ଆଦର୍ଶ ସଦୁପଯୋଗେ
ଝଟକେ ମୁକୁଟ ମାଣିକ୍ଯ ରତନେ
ଫଳେ ଭାଗ୍ଯ ରାଜଯୋଗେ ।
