ଛଳନା
ଛଳନା
ଅଭିମାନିନୀ ସେ ଲାଜକୁଳି ପ୍ରିୟା
ରାଗିଗଲେ ମୁହଁ ନାଲି
କହେ ନାହିଁ କଥା ମାରେ ଆଡ଼ରୁଷା
ଦୁମଦୁମ ଯାଏ ଚାଲି ।
ଚଦର ଘୋଡାଇ ଶୁଏ ମୁହଁ ମାଡି
ଛୁଏଁ ନାହିଁ ଅନ୍ନ ଜଳ
ମନ ଭୁଲା କଥା ନ ଶୁଣିଲେ ଟିକେ
ଆଖି କରେ ଛଳଛଳ ।
ଦେଖାଏ ବାହାନା କିମ୍ଭୁତ ପ୍ରକାର
କଥା ଶୁଭେ ଫଣଫଣ
ନ ବୁଝିଲା ଯାଏ ପ୍ରିୟତମା ମନ
ସବୁ କଥା ମୂଲ୍ୟହୀନ ।
ତା ମନ ପସନ୍ଦ କାମଟି ନହେଲେ
ତଳକୁ ପୋତଇ ମଥା
କାନ୍ଥକୁ ବାଡ଼କୁ ଅନାଇ ଗପଇ
ଆଜେବାଜେ ବହୁ କଥା ।
ଲାଗେ ଶୀତ ଅନ୍ତ ଫେରିଲା ବସନ୍ତ
ଫୁଲ ବଉଳର ବାସ୍ନା
ସ୍ମିତ ହସଧାରେ ପ୍ରିୟ ମନ ହାରେ
ଛଳନା ମୃଗନୟନା ।
ବୃଦ୍ଧି ହୁଏ କାଳେ ଚାରୁ ପ୍ରେମକଳା
କରିଲେ ପ୍ରିୟା ଛଳନା
ପ୍ରିୟତମା ଯଦି ନ ଜାଣେ ବାହାନା
ହୁଏ ଚନ୍ଦ୍ରକଳା ଊଣା ।