ଚାନ୍ଦ ନା ତୁମେ ତାରା
ଚାନ୍ଦ ନା ତୁମେ ତାରା
ସନ୍ଧ୍ୟା କବରୀରେ ବାରୁଣୀର ଛଟା
ରକ୍ତର କରବୀ ଯେବେ ଫୁଟେ
ଚାନ୍ଦ ଗୋ ତୁମେ ଚୁପି ଚୁପି ଆସ
ପୁରୁବ ଆକାଶ ପ୍ରେମ ଘାଟେ ।
ନିଃସଙ୍ଗ ରାତ୍ରୀର ଶାନ୍ତ ପ୍ରହରରେ
ନୀଳ ବାଦଲଙ୍କ ଭିଡ଼ ଜମେ
ସତେ ମୋ ପ୍ରିୟାର ନୀଳ କୁନ୍ତଳ କି
ଖୋଲି ଯାଉଅଛି ମୁହିଁ ଭ୍ରମେ ।
ଆକାଶର ସେଇ ପ୍ରଶସ୍ତ ଛାତିରେ
ତାରା ଫୁଲଙ୍କର ଅପୂର୍ବ ଭିଡ଼
ଚାନ୍ଦ ଲୁଚି ଲୁଚି ମୁହଁ ଦେଖାଉଛି
କହୁଛି ତାରା ଠୁ ମୁଁ ପରା ବଡ଼ ।
ମୋ ପ୍ରେମ ଗାଥାରେ ଅସରା ଶ୍ରାବଣ
ହଜି ଯାଇଅଛି ତା'ର ମହକ
ବୁଝି ପାରୁନାହିଁ ଖୋଜୁଛି ଆକୁଳେ
ଚାନ୍ଦରେ ଅଛ ନା ତାରାରେ ଅଛ।
ମୋ ଜୀବନୁ ତୁମେ ଚାଲି ଯାଇଅଛ
ସଭିଏଁ କହନ୍ତି ତାରା ହୋଇଛ
କିନ୍ତୁ ଚାନ୍ଦେ ଦେଖେ ତୁମରି ମୁହଁକୁ
ଚାନ୍ଦ ହୋଇଛ କି ତାରା ହୋଇଛ ।
ତାରା ଫୁଲ ଯେବେ ବିଞ୍ଚି ହୋଇଯାଏ
ଖୋଜିଲେ ତୁମକୁ ପାଏ ତ ନାହିଁ
ମେଘକୁ ଆଡେଇ ଯିବାକୁ ଚାହେଁ ମୁଁ
ଚାନ୍ଦ ସଙ୍ଗେ କଥା ହୋଇବା ପାଇଁ ।
ତୁମ ସେ ମହାର୍ଘ ପ୍ରେମ ହଜି ଅଛି
ଚାନ୍ଦରେ ଅଛ ନା ତାରାରେ ଅଛ
ଚାନ୍ଦ ବରଷୁଛି ଶୀତଳ ଜୋଛନା
ଜୀବନଟା ଲାଗେ ଅଲୋଡ଼ା ମିଛ ।
ଚାନ୍ଦ ନା ତୁମେ ତାରା କହିଦିଅ
ବୁଝାଇ ଦିଅ ହେ ପ୍ରେମର ସଂଜ୍ଞା
ଶାଶ୍ଵତ ପ୍ରେମର ବରଷାରେ ଧରା
ହୋଇ ଉଠୁ ଦିବ୍ୟ ହେଉ ଯେ ବିଜ୍ଞା ।
ଚାନ୍ଦ ନା ତୁମେ ତାରା କହିଦିଅ
ନିଃସଙ୍ଗକୁ ଦିଅ ଶୀତଳ ସ୍ପର୍ଶ
ମନ ତଳ ବ୍ୟଥା ଅଦେଖା ଜ୍ୱଳନେ
ଦେଇଦିଅ ତୁମେ ମହାର୍ଘ ସ୍ପର୍ଶ ।
ଚାନ୍ଦ ନା ତୁମେ ତାରା କହିଦିଅ
ମୋ ମହାର୍ଘ ପ୍ରେମ କେଉଁଠି ଅଛି
ସ୍ଵାର୍ଥ ଲହରୀରୁ ପ୍ରେମକୁ ବଞ୍ଚାଅ
ପବିତ୍ରତା କଥା ଦିଅ ବୁଝାଇ ।
