STORYMIRROR

Sunanda Mohanty

Tragedy Fantasy Thriller

3  

Sunanda Mohanty

Tragedy Fantasy Thriller

ଚାଲ ଗାଁକୁ ଯିବା ଫେରି

ଚାଲ ଗାଁକୁ ଯିବା ଫେରି

4 mins
20

  ମିନୁ ଆଖିର ଲୁହ ପୋଛିଦେଲେ ବାପା. କହିଲେ ଏଥର ନୂଆବର୍ଷକୁ ତତେ ଓ ତୋ ମାଆକୁ ନିଶ୍ଚୟ ସହର ବୁଲେଇ ନେବି. ହସିଦେଲା ମିନୁ ଖୁବ ଗୋଟେ ଖୋଲା ହସ. ଏଥର ତା ଆଶା ପୁରଣ ହେବ. ସେ ରେଳଗାଡିରେ ବସି ବାପା ମାଆଙ୍କ ସଙ୍ଗେ ସହର ଯିବ. ଗାଁ ସାରା ବୁଲି ବୁଲି କହି ଆସିଲା ମିନୁ ମୁଁ ଏଥର ବାପା ଓ ମାଆ ସଙ୍ଗେ ସହର ଯିବି. ନେତି ଆଈ ତା ଅଣ୍ଟିରେ ଭାଜୁଥିବା ଗରମ ମୁଢିରୁ ଅଣ୍ଟିଏ ଧରାଇଦେଲା ତ ଦୌଡ଼ିଲା ମିନୁ ଘରକୁ. ସୋରିଷ ତେଲ ଓ ଧନିଆଁ ପତ୍ର ଗୋଳେଇ ମାଆ ଓ ବାପାଙ୍କ ସଙ୍ଗେ ଖାଉ ଖାଉ ମିନୁ କହୁଥିଲା, ସହରରେ ଢେର ସାରା କୁରୁକୁରେ, ଚକୋଲେଟ, ଆଇସକ୍ରିମ ମିଳେନା ବାପା?ମୁଁ ଢେର ଖାଇସାରିବା ପରେ ଆସିଲା ବେଳେ ନେତି ଆଈ ପାଇଁ ନେଇଆସିବି ସେସବୁ. ମିନୁର ଆଶା ପୁରଣ ହେଲା.ସେ ରେଳଗାଡି ଚଢି ଗାଁରୁ ଭୁବନେଶ୍ୱର ଆସିଲା ସତ ହେଲେ ଚକୋଲେଟ କି ଆଇସକ୍ରିମ କିଣି ପାରୁନଥିଲା ବରଂ ମାଆ ଯାହା ଘରେ ପାଇଟି କରୁଥିଲା ତାଙ୍କ ଘରେ ଥିବା ତା ସମସାମୟିକ ପିଲାମାନେ ସେସବୁ ଖାଉଥିଲା ବେଳେ ସେ ଚାହିଁ ରହୁଥିଲା ବୋଲି ମାଆ ସାଆନ୍ତାଣୀ କହୁଥିଲେ ଫୁଲ ତୁ ତୋ ଝିଅକୁ ସଙ୍ଗରେ ନେଇ କାହିଁକି କାମକୁ ଆସୁ କହିଲୁ?ମାଆ କହେ କୋଉଠି ଛାଡ଼ିବି ମାଆ. ଏଇଟା ତ ଗାଁ ନୁହେଁ ଯେ କାହାକୁ ଭରସି ବିଶ୍ୱାସ କରି ଛାଡିପାରିବି. ମାଆ କଥାରୁ ମିନୁ ପ୍ରଥମ କରି ବୁଝିଯାଇଥିଲା ଯେ ଗାଁରେ ଥିବା ଲୋକମାନେ ପରସ୍ପର ନିଜର କିନ୍ତୁ ସହରରେ ନୁହଁ.ତାର ମନେପଡୁଥିଲା ନେତି ଆଈ କଥା ଓ ତା ଗରମ ଗରମ ଭଜା ମୁଢ଼ି, ବୁଟ, ଵାଦାମ କଥା. ତଥାପି ସାଆନ୍ତାଣୀ ଘର ପିଲାମାନେ ଖାଉଥିବା କୁରୁକୁରେ ପ୍ୟାକେଟରେ ତାର ଭାରି ଲୋଭ. ମାଆକୁ କହିଲେ ମାଆ କହୁଛି ଦରମା ପାଇଲେ କିଣି ଦେବ. ବାପାଙ୍କୁ କହିଲେ ବାପା କହନ୍ତି କାମ ମିଳିଲେ କିଣିଦେବେ. ଏବେ କୁଆଡେ ବାପାଙ୍କୁ ଆଉ କାମ ମିଳୁନି. ଟ୍ରକରେ ବୋଝେଇ ହୋଇ ଲୋକମାନେ କାମ କରିବାକୁ ଯାଆନ୍ତି ବାପା କିନ୍ତୁ ଘରକୁ ଫେରନ୍ତି ଶୁଖିଲା ମୁଁହରେ. ତୁ କେମ୍ପାଟା କି କାମ କରିବୁ କହି ଆଜିକାଲି କେହି କାମକୁ ନେଉନାହାଁନ୍ତି ବାପାଙ୍କୁ ତାର. ମାଆ ଯେତିକି ଦରମା ଆଣେ ସେଥିରେ ଡାଲି ଚାଉଳ ଓ ପରିବା କିଣୁ କିଣୁ ସରିଯାଏ ପଇସା.ଗାଁରୁ ପିନ୍ଧି ଆସିଥିବା ଫ୍ରକଟି ମଇଳା ହେଲାଣି. ଏଠି ପାଣିର ଘୋର ଅଭାବ. ଗାଁରେ ସିନା ଗଡିଆ ଓ ନଈ ଉପରେ ପଡ଼ିଥିବା ପଥରରେ ମାଆ ବିନା ସାବୁନ କି ସର୍ଫରେ ବାଡେଇ ବାଡେଇ କାଚି ଖଳଖଳିଆ ଧୋଇ ଶୁଖେଇ ଦିଏ ଯେ କେଡେ ପରିସ୍କାର ଲାଗେ ପିନ୍ଧିବାକୁ. କେତେ ଥର ଆଉ ଗୋଟେ ଫ୍ରକ କିଣିବାକୁ ମନ କଲାଣି ଯେ ମାଆର ସେହି ଏକା ଉତ୍ତର. ଦରମା ପାଇଲେ କିଣି ଦେବି.

    ସେଦିନ ମିନୁକୁ ଘରେ ଏକୁଟିଆ ଛାଡ଼ି ମାଆ କାମକୁ ଯାଇଥାଏ. ବାପା ମଧ୍ୟ କାମ ଖୋଜିବାକୁ ବାହାରକୁ ଯାଇଥାଏ. ମିନୁ ଦେଖିଲା ତାଙ୍କ ଛୋଟ ଚାଳିଆ ଘର ଆଗରେ ଗୋଟେ ବିରାଟ ବଡ଼ ଛାତ ଘର. ଆଉ ସେଇ ଛାତ ଘରକୁ ଲାଗି ଦୋକାନଟିଏ. କେତେ ରକମର ଜରିରେ କେତେ ରକମର କୁରୁକୁରେ ଓହଳିଛି. ମିନୁ ଭାବିଲା ଏତେ ବଡ଼ ଘର ଯାହାର ତାର କିଛି ଅସୁବିଧା ନଥିବ. ମୁଁ ମୋ ନିଜ ପାଇଁ ନହେଉ ପଛେ ନେତି ଆଈ ପାଇଁ କୁରୁକୁରେ ପ୍ୟାକେଟଟିଏ ନିଶ୍ଚୟ ନେଇକି ଯିବି. ମତେ ନେତି ଆଈ କେତେ ମୁଢ଼ି, ମଟର ଭଜା ଦେଇଛି. ତା ପାଇଁ କୁରୁକୁରେ ଗୋଟେ ପ୍ୟାକେଟ ନନେଲେ କଣ କହିବ ମତେ ଆଈ?କହିବ ସହରକୁ ଗଲୁ, କେତେ କଥା ଖାଇଲୁ, ପିଇଲୁ, ଦେଖିଲୁ, ମୋ ପାଇଁ କିଛି ଆଣିନୁ? ନେତି ଆଈ କଥା ଭାବି ଆଗେଇ ଗଲା ମିନୁ. ଦୋକାନୀବାବୁଙ୍କୁ ସବୁ ସତ କଥା କହିଲା ଓ ବାପା ଦରମା ପାଇଲେ ପଇସା ଦେଇଦେବ କହି କୁରୁକୁରେ ପ୍ୟାକେଟଟିଏ ଦିଅ କହିଲା. ସବୁ ଶୁଣି ଦୋକାନୀ ବାବୁ କହିଲେ ହଉ ଭିତରକୁ ଆସେ. କୋଉ କୁରୁକୁରେ ନେବୁ କହ କହି କୋଳ କରି ବସେଇଲା. ମିନୁକୁ ସେମିତି କୋଳ କାହିଁ ଭାରି ଅସହଜ ମନେ ହେଲା. ମାଆ ଓ ବାପା କୋଳ ଭଳି ଲାଗୁନଥିଲା ପୁଣି କୁରୁକୁରେ ପ୍ୟାକେଟ ଦେଇ ମିନୁର ଫ୍ରକ ଭିତରେ ଦୋକାନୀ ବାବୁ ହାତ ପୁରେଇବା ତାକୁ ଭଲ ଲାଗୁନଥିଲା ଜମା. ଠିକ ସେତିକି ବେଳକୁ ମାଆ ଆସି ପହଞ୍ଚିଯାଇ ଥିଲା. ମାଆକୁ ଦେଖି ଦୋକାନୀ ବାବୁଙ୍କ କୋଳରୁ ଉଠିଆସିଲା ବେଳେ ମିନୁ କୁରୁକୁରେ ପ୍ୟାକେଟଟା ଥୋଇଦେଇ ଆସିଲା. ମାଆ ଯେବେ କହିଲେ ଆଣେ ମୁଁ ଆଜି ଦରମା ପାଇଛି ପଇସା ଦେଇଦେବା. ମିନୁ କାହିଁକି କାନ୍ଦି ପକାଅଇଲା ସେ ନିଜେ ବି ଜାଣିନଥିଲା. ରାତିରେ ମାଆ କୋଳରେ ଶୋଇ ମିନୁ ଯେବେ ଆସ୍ତେ ଆସ୍ତେ ମାଆ କାନରେ କହୁଥିଲା ସେ ଦୋକାନୀ ବାବୁଟା ଜମା ଭଲନୁହେଁ ମାଆ. ମାଆ ବୁଝିଗଲା ଝିଅ ତାର ବଡହୋଇଆସୁଛି . ସେ ଏଥର ଗାଁକୁ ଫେରିଯିବା ଉଚିତ.

    ଗାଁକୁ ଫେରିଆସିବା ପରେ ମିନୁ ମୁଁହରେ ପୁଣି ଖୋଲା ହସ ଚହଟିଲା. ସକାଳୁ ସକାଳୁ ପ୍ରଜାପତି ଗୁଡା ତାକୁ ହାତ ଠାରି ଡାକୁଥିଲେ. ଫୁଲ ଗୁଡା ତାକୁ ଚାହିଁ ହସୁଥିଲେ. ମାଆ ଆଣିଥିବା ନୂଆ ଫ୍ରକ ପିନ୍ଧି ନେତି ଆଈ ପାଖକୁ ଦଉଡି ଗଲା ମିନୁ କହିଲା ତୋ ପାଇଁ କୁରୁକୁରେ ପ୍ୟାକେଟ ଆଣିବାକୁ ଯାଇଥିଲି ଯେ ଆଈ ସେ ଦୋକାନୀ ବାବୁଟା ଜମା ଭଲ ନୁହଁ. ମତେ କୋଳକରି ବସାଇଲା ଯେ ଅସହଜ ଲାଗିଲା ପୁଣି ମୋ ଫ୍ରକ ଭିତରେ ହାତ ପୁରେଇବା ବେଳକୁ ମାଆ ପହଞ୍ଚି ଡାକିବାରୁ ଚାଲିଆସିଲି କିନ୍ତୁ କୁରୁକୁରେ ପ୍ୟାକେଟ ପଇସା ଦେଇ ଆଣିବାକୁ ସେ ଦୋକାନୀ ବାବୁଠୁ ମନ ହେଲାନାହିଁ. ଆଈ କୋଳେଇ ଧରିଲା ମିନୁକୁ ଦେହ ମୁଣ୍ଡରେ ହାତ ମାରି କହିଲା ଭଲ କଲୁ ମାଆ. କୁରୁକୁରେ ମୋର ଦରକାର ନାହିଁ. ତୋ ମୁଁହରେ ଏଇ ଖୋଲା ହସ ଫୁଟୁଥାଉ ଏହା ମତେ ଦରକାର ମାଆ. ମିନୁ କହୁଥିଲା ଆଈ ସହରରେ ଆମ ଗାଁ ଭଳି ଲୋକ ନାହାଁନ୍ତି. ମାଆ ଯେଉଁ ସାଆନ୍ତାଣୀ ଘରେ କାମ କରେ ତାଙ୍କ ପିଲାମାନେ କେତେ କୁରୁକୁରେ ପ୍ୟାକେଟ ଖାଇଲେ ମଧ୍ୟ ମତେ ଦେବା ଦୂରେ ଥାଉ ଆହୁରି ଡ଼ାହାଣୀ ବୋଲି କହନ୍ତି ଆଉ ସେ ଦୋକାନୀ ବାବୁଟାର ଆଉଁସା ଜମା ତୁମ ପରି ନୁହଁ ଆଈ. ମୁଁ ଆଉ ଜମା ସହରକୁ ଯିବିନି. ଆଈ କହିଲେ ମୋଟେ ନୁହେଁ.ତୁ ଆମ ଗାଁର ମଉଡମଣୀ ଭାରି ବୁଦ୍ଧିମତୀ, ତୁ ପାଠ ପଢେ ଅଙ୍ଗବାଡ଼ିରେ. ଏଇ ନେ ମୁଢ଼ି ଆଉ କୁରୁକୁରେ. କୁରୁକୁରେ କୋଉଠୁ ପାଇଲ ଆଈ? ମୁଢ଼ି ବଦଳରେ ଗାଁମୁଣ୍ଡ ହରିଆ ଦୋକାନରୁ ତୋ ପାଇଁ ଆଣିଥିଲି. ଖୁସିରେ ହସି ହସି ଅଣ୍ଟିଏ ମୁଢ଼ି ନେଇ ଚାଲିଗଲା ମିନୁ. ଆଈ କହୁଥିଲେ ଏମିତି ଠାକୁର ତୋ ମୁଁହରେ ହସ ଭରିଦେଇଥାଆନ୍ତୁ ମିନୁ. ମିନୁର ମାଆ କାକୁଡି, ଜହ୍ନି ଓ ଶାଗ ନେଇ ଆଈଙ୍କ ପାଇଁ ଆସିଥାଆନ୍ତି ତ ନେତି ଆଈ କହୁଥିଲେ ମିନୁକୁ ପାଠ ଦି ଅକ୍ଷର ପଢା ବୋହୁ ।


Rate this content
Log in

Similar oriya poem from Tragedy