ବୁଝିବ କିଏ
ବୁଝିବ କିଏ
କେଡେ ସୁନ୍ଦରରେ ଉଡୁଛି ବନ ମନ୍ଦିରରେ ଫର ଫର ,
ଗୀର୍ଜା ,ମସଜିଦ,ଗୁରୁଦ୍ୱାର ସବୁ ପରିଚିତ ଏବେ ସଭିଙ୍କର ।
ଏବେ ଲାଗେ ହୁଏ ,ପ୍ରତିଯୋଗିତା ପ୍ରମାଣ ପାଇଁ ଆସ୍ତିକତାର ,
ସଭିଏଁ ଭିଡନ୍ତି ,ନିଜ ପରିଚୟ ଲାଗି ହୁଅନ୍ତି ତତ୍ପର ।
ବଡ଼ିମା ଦେଖାଇ କରନ୍ତି ,ବଡ ଉତ୍ସାହରେ ନିଜର ପ୍ରଚାର ,
କିଏସେ କରିବ ସେମାନଙ୍କର ଏହି ଆଚାରର ସବୁ ବିଚାର ।
ବେଳେ ବେଳେ ପୁଣି ଲଢେ଼ଇ କରନ୍ତି ନିଜ ମଧ୍ୟରେ
ପ୍ରମାଣ କରିବାକୁ ,କିଏ ଶ୍ରେଷ୍ଠ ଅଟେ ସଭିଙ୍କ ଭିତରେ ।
ତାଙ୍କ ପ୍ରଚାର ପ୍ରସାର ଭ୍ରମିତ କରେ ସରଳ ପ୍ରାଣୀଙ୍କୁ
ଅସହାୟ ହୋଇ ,କାତରେ ବିନତି କରେ ସିଏ ପ୍ରଭୁଙ୍କୁ ।
ସେହି ଦେଖାଣିଆ ଆସ୍ତିକଙ୍କ ସତ୍ୟତା କେହି କରେ ଉଜାଗର ,
ଭର୍ତ୍ସିତ ହୁଏ ସିଏ ସମାଜରେ ,ପାଈ ନାମ ନାସ୍ତିକର ।
ସିଏ ସତ୍ୟର ସାଧକ , ଧର୍ମକୁ ସାଥି କରି ଚାଲିଥାଏ
ନାସ୍ତିକ ନୁହେଁ ସତ ,କିନ୍ତୁ ତାର ଆସ୍ଥାକୁ ନଦେଖାଏ ।
ବିଧାତାଙ୍କ ସୃଷ୍ଟି ଏହି ସଂସାର ,ସଭିଏଁ ଏଠାରେ ଯାତ୍ରୀ ,
ନାସ୍ତିକ ନୁହେଁ ସିଏ ,ସେଇ ବିଧାତାଙ୍କ ଏକ ସୃଷ୍ଟି ।
ବୁଝିବ କିଏ କହିବା କିଏ ଶୁଣିବାକୁ କେହି ନାହିଁ
କେବଳ ଜଣେ ଜାଣିଥାଏ ,ସବୁ ଦେଖୁଥାଏ ,ସ୍ରଷ୍ଟା ସେହି ।
ଆସ୍ଥାର ପ୍ରସଙ୍ଗ ଅଟେ ବଡ ବିସ୍ତାର ,ବୁଝିବ କିଏ
ଦେଖାଇ ନହେଲେ ଆଜିର ମଣିଷ ,ଏବେ ନାସ୍ତିକ ହୁଏ ।
ଯେତେ ଅନ୍ତରର ଭକ୍ତି ଦେଖାଇ ନଦେଲେ ,ବୁଝିବ କିଏ
ଏକାନ୍ତରେ ବସି ତାଙ୍କୁ ସ୍ମରଣିଲେ ,ଜାଣିବା ଭଲା କିଏ ।
ସେଥିପାଇଁ ଆଜି ପକୃତ ଭକ୍ତକୁ ନାସ୍ତିକର ନାମ ଦିଏ
ନର ରୂପେ ନାରାୟଣଙ୍କୁ ସିଏ ପୁଜଇ ,ବୁଝିବ କିଏ ।
ସବୁ ଧର୍ମକୁ ସମ୍ମାନ ଦେଇ, ଦିଏ ଭକ୍ତିର ପରିଚୟ
ବୁଝିବ କିଏ ଦୂର କରିବ ସଭିଙ୍କ ଏହି ସଂଶୟ ।
ବିଧାତା ଆମର ପଠାଇଛି ବଞ୍ଚିବାକୁ ,କର୍ମକୁ କରି ଆଧାର
ସିଏ ସବୁ କରଉଛି , ବୁଝିବ କିଏ ଏହି ସାର ।