ବର୍ଷୁନାହିଁ ମେଘ ଆଉ
ବର୍ଷୁନାହିଁ ମେଘ ଆଉ
ଶ୍ୟାମଳିମା ଭରା ସୁନ୍ଦର ବନାନୀ
ଥିଲା ଏ ମାଟିର କୋଳେ
ବିକାଶ ନାଆଁରେ ଆଜିର ସଭ୍ୟତା
କୃତ୍ରିମ ପ୍ରାଚୀର ତୋଳେ ।
ଜୀବଜନ୍ତୁଙ୍କର ଆଶ୍ରା ଥିଲା ଏହି
ରସାଳ ଉର୍ବର ମାଟି
ଯାତାୟାତ ପାଇଁ ସୁବିଧା ସକାଶେ
ବିଦୀର୍ଣ୍ଣ କରିଛୁ ଘାଟି ।
ଚିରି ପକାଇଛୁ ଧରଣୀ ମାଆର
ଚିର ନିର୍ଝରିଣୀ ବକ୍ଷ
ଗଛଲତା ହାଣି ଶୋଷଣ ଦିଗରେ
ଆହୁରି ରଖିଛୁ ଲକ୍ଷ୍ୟ ।
ଯାନବାହାନର ବିଷାକ୍ତ ଧୂଆଁରେ
ପ୍ରଦୂଷଣ କରି କରି
ନଷ୍ଟ କରୁଅଛୁ ପରିବେଶ ଆମ
ମୂରୁଖ ଅଜ୍ଞାନ ପରି ।
ଉଦ୍ଭିଦ ଅଭାବେ ବଞ୍ଜର ଭୂଇଁରେ
ବର୍ଷୁନାହିଁ ମେଘ ଆଉ
ନଦୀନାଳ ସବୁ ବିଲୁପ୍ତ ହେଲେଣି
ସହି ମଣିଷର ଦାଉ ।
ଯେଉଁ ପରିମାଣେ ହେଉଛି ନିର୍ମାଣ
ସର୍ବତ୍ର ନଗରଗ୍ରାମେ
ପତିଫଳେ ତାର ଅନ୍ନର ଅଭାବ
ଭୋଗିବୁ ନିଶ୍ଚୟ ଆମେ ।
ମାଟି ସହ ପାଣି ପବନ ବି ଏବେ
ବିଷାକ୍ତ ହେଲାଣି ଯେତେ
ସତର୍କ ନହେଲେ ବିକାଶ ବଦଳେ
ବିନାଶ ହୋଇବ ସେତେ ।
