ବରଷାରେ
ବରଷାରେ
ଭିଜା ବରଷାରେ ମାଦକତା ଭରେ
ଯଉବନ ଥିଲେ ପାଶେ
ବୈଶାଖ ତାତିରେ କେଉଁ ମନ ମୋହେ
ବସନ୍ତରେ ସିନା ବାସେ
କାହା ପାଇଁ ବର୍ଷା ପ୍ରକୃତି ପରଷା
କାହା ପାଇଁ କାଳ ଚକ୍ର
କାହା ପାଇଁ ପୁଣି ବରଷା ରାଣୀ ସେ
କାହା ପାଇଁ ପ୍ରେମ ପତ୍ର
ବରଷାରେ ବନ ଝରଣାର ତାନ
ପ୍ରକୃତିରେ ମନ ମୋହେ
ତୃଷାର୍ତ୍ତକୁ ଜଳ ଚାଷୀକୂଳ ବଳ
ବରଷା ସଭିଙ୍କୁ ଦିଏ
ମେଘ ଭାସିଗଲେ ମେଘ ଦୂତ ସାଜେ
ଗରଜିଲେ ପ୍ରିୟା କୋହ
ସାଥି ହୋଇ ଯେବେ ଭିଜୁଥାଏ ଦେହ
ଅସଞ୍ଜତ ହୁଏ ମୋହ
ବରଷିଲେ ବର୍ଷା ପ୍ରେୟସୀ ପ୍ରୟାସା
କରୁଥାଏ ସଦା ବସି
ବିରହୀର ମନ ବିଷୟରେ ଧ୍ୟାନ
ହେଉଥିଲେ ହୁଏ ଖୁସି
ବରଷା ରାଣୀ ସେ ସବୁଠି ବରଷେ
ନାହିଁ ବାଡ ବନ୍ଧ ତାର
ବୃକ୍ଷରାଜି ଯହିଁ ଥାନ୍ତି ଭରି ହୋଇ
ବଢୁଥାଏ ତା' ଆଦର
ଛୋଟଙ୍କୁ ବର୍ଷାରେ ଦିଶେ ଭବିଷ୍ୟତ
ବଡ ଖୋଜେ ଅତୀତକୁ
ଯୌବନ ଉନ୍ମାଦ ଲମ୍ଫ ଦେଉଥାଏ
ବର୍ଷାରେ ବର୍ତ୍ତମାନକୁ
ଲେଖକ ଖୋଜେ ତା ଲେଖନୀ ମୁନରେ
ବରଷା ସମୟ ବେଳ
କେତେ ସୁଖ ଶୁଣା ଦୁଃଖ ଦୁର୍ଘଟଣା
ଦେବା ପାଇଁ ଲେଖା ମୂଳ
କବି କହେ କଥା ବର୍ଷା ରାତି ବ୍ୟଥା
ମନ ଯେବେ ଛନ ଛନ
ପ୍ରେମିକର ଭାଷା କବି କୂଳ ନିଶା
ପ୍ରେମିକାର ସେ ଗୁଞ୍ଜନ
ପ୍ରଶାନ୍ତ କୁମାର ହୋତା