ବର୍ଷା
ବର୍ଷା
ଏପାଖେ ଜୀବନ
ଆରପାଖେ ମୃତ୍ୟୁ
ମଝିରେ ଜଳୁଛି ମନ
ଆଖି ଲୁହ ସାଥେ
ଓଠ ହସ ମିଶି
ଗଢ଼ିଥିଲେ କିଛି ସ୍ବପ୍ନ ।
ତୁଳୀ ଧରି ଯେବେ
ଆଙ୍କି ବସୁଥିଲି
ଫୁଟି ଉଠେ ତୁମ ଛବି
କେଜାଣି କାହିଁକି
ପାରୁନି ଆଙ୍କି ମୁଁ
ଫିକା ମୋ ଜୀବନ ରବି ।
ଭିଜୁଥିଲା କେବେ
ଦେହ ମନ ଆତ୍ମା
କୃଷ୍ଣଚୁଡା ରଙ୍ଗେ ମଜ୍ଜି
ବିରହର ଜ୍ୱାଳା
ଜାଳିଦିଏ ମନ
ଅବଶୋଷେ ଯାଏ ଭିଜି ।
ଅଞ୍ଜୁଳା ଅଞ୍ଜୁଳା
ଶବ୍ଦ ଫୁଲ ଦିନେ
କବିତାରେ ଗୁନ୍ଥି ଥିଲି
ଲେଖନୀ ଝୁରୁଛି
ଝାଉଁଳି ଯାଇଛି
ବିଷାଦେ ପଡିଛି ଲାଲୀ ।
ଶୂନ୍ୟତା ଘେରିଛି
ମୃତ୍ୟୁ ଜଗିଛି
ଦିଶାହୀନ ସବୁ ଆଜି
ଶବ୍ଦ ପୁଞ୍ଜ ଏକା
ସାଥୀ ହୃଦୟର
ଆପଣାର ବନ୍ଧୁ ସାଜି ।
କେବେ ଲାଗେ ପ୍ରୀତି
ପବିତ୍ର ପ୍ରବାହ
ପୂର୍ଣ୍ଣତୋୟା ଗଙ୍ଗା ଜଳ
କେବେ ଲାଗେ ପୁଣି
କଳଙ୍କର ଟୀକା
ଅପବିତ୍ର ପୂଣ୍ୟ ଫଳ ।