ବର୍ଷା ସେତୁବନ୍ଧ
ବର୍ଷା ସେତୁବନ୍ଧ


ଅନେକ ଦିନରୁ ,
ଅଭିମାନ କରିଥିଲା ଆକାଶ
ମନ ମାରି ବସିଥିଲା ମାଟି
ଆକାଶ ଆଖିରେ ଅସରା ଅସରା ଲୁହ
ମାଟି ମନରେ ମହଣ ମହଣ କୋହ
ଦୁହେଁ ଚୁପ
ନିଜ ଭିତରେ ଭୁଲଠିକ ଖୋଜି ।
ଦାଉ ସାଧିଚି ସମୟ,
ସେ ବା କାହା ଖୁସି ଦେଖିପାରେ!!
ନହେଲେ କଣ ଶ୍ରାବଣୀଟା
ଏମିତି ଫେରି ଯାଆନ୍ତା
ତଟିନୀ ପାଖରୁ ଆଞ୍ଜୁଳା ଖାଲି କରି?
ମନୁଆ ପବନ କୁ
କିଏ ସେ ଦେଲା ଖବର!
ବୁଝିଗଲା ସବୁ ବ୍ୟଥା ଏତେ ସହଜରେ!!
ଧାଇଁ ଆସି ପିଟି ହେଲା
ପାହାଡ଼ ପିଠିରେ
ତାପରେ ଅଜାଣତେ ଝରିଗଲା ବର୍ଷା
କଣା ମାଠିଆ ପରି ଅମାନିଆ ହୋଇ
ଭିଜେଇଦେଲା
ତୃଷ୍ଣା ରୁ ତୃପ୍ତି ଯାଏ
ଅସ୍ଥି ରୁ ଆତ୍ମା ଯାଏ
ଆଖି ବନ୍ଦ କରି ପି ଗଲା ମାଟି
ଚୁପଚାପ ଗୋପନରେ
ଅନ୍ଧାର ରାତିର ଚାଦର ତଳେ
ବେଦନା ସବୁ
ପାଉଣା ମାଗୁଥିଲେ ହସି
ଭିଜା ଦେହରୁ ରଙ୍ଗ ନେଇ
ପାହାଡ଼ ଆରପଟେ
ଆକାଶ ଆଙ୍କୁଥିଲା ସାତରଙ୍ଗୀ ଇନ୍ଦ୍ରଧନୁ
ବତୁରା ମାଟି ପିନ୍ଧିଥିଲା
ଆକାଶୀ ରଙ୍ଗ ଶାଢ଼ୀଟିଏ।।