STORYMIRROR

Bibhu Samanta

Classics Inspirational

3  

Bibhu Samanta

Classics Inspirational

ନଅ ପଦର ଦେବୀଟିଏ

ନଅ ପଦର ଦେବୀଟିଏ

1 min
187

ଦେବୀଟିଏ,

ସୃଷ୍ଟି ଶିବଙ୍କୁ ଚିହ୍ନିବା ଆଗରୁ

କୁଆଁରୀ କଳିଟେ 

କୁଆଁ କୁଆଁ କାନ୍ଦରେ

ପାହାଡ ଛାତିରେ

କବିତା ଲେଖେ


ଦେବୀଟିଏ ,

ବିକାଶ ଓ ବିନାଶର ଲଗାମ ଧରି

ବୈରାଗ୍ୟକୁ ବୋଳି

ଉପାନ୍ତରୁ ଉପତ୍ୟକା ଯାଏ

ବିଶ୍ୱାସରେ ବ୍ରହ୍ମଙ୍କୁ ଖୋଜୁଥାଏ 


ଦେବୀଟିଏ,

ଚପଳ ଚନ୍ଦ୍ରକୁ

ଚାମୁଚେ ସ୍ନେହରେ 

ଆୟତ୍ତ କରି

ଗଭାରେ ତା ଖୋସିଦିଏ 


ଦେବୀଟିଏ

ଗର୍ଭରେ ଅମାପ ସମ୍ଭାବନାକୁ ସାଇତି

ପଙ୍କରୁ ପଦ୍ମ ହୋଇ ଛିଡା ହୁଏ


ଦେବୀଟିଏ,

ଗଳ୍ପର ଗଙ୍ଗଶିଉଳି ପରି

ବାସ୍ନା ବାଣ୍ଟି ସାରିବା ପରେ

ବିସ୍ମୟ ରୁ ବିସ୍ମୃତି ଯାଏ

ବୁଣି ହୋଇ ଯାଏ


ଦେବୀଟିଏ,

ସହସ୍ର ପାଖୁଡ଼ାର ଆୟୁଧରେ

ପ୍ରେମ ପରସି

ଭୁଜଙ୍ଗ ଠାରୁ ଭ୍ରମର ଯାଏ

ସଭିଙ୍କୁ କୋଳେଇ ନିଏ


ଦେବୀଟିଏ,

ଷୋଡଶୀରୁ ଶିବାନୀ ହୋଇ

ସନ୍ତାନ ପାଇଁ

ରଣଚଣ୍ଡୀ ସାଜି

ରକ୍ତରେ ଶୃଙ୍ଗାର ରଚୁ ଥାଏ 


ଦେବୀଟିଏ,

ମୂର୍ତ୍ତିରୁ ମନ୍ଦିର ହୋଇ

ମନ୍ତ୍ରରେ ମୁଗ୍ଧ ହୁଏ

ସ୍ଥୂଳରୁ ସୂକ୍ଷ୍ମ 

ସୂକ୍ଷ୍ମରୁ ଚେତନା ହୋଇ

କୁଣ୍ଡଳିନୀରୁ ବ୍ରହ୍ମାଣ୍ଡ ଯାଏ

ସବୁରି ଭିତରେ ସେ ହସୁଥାଏ।


ଦେବୀଟିଏ

ଦେହଟେ ଗଢ଼ିବାକୁ

ଗଙ୍ଗା ,ଗୋଦାବରୀରୁ ମାଟି ଥାଇ ବି

ସେ ବେଶ୍ୟା ଘର ମୁଠାଏ ମାଟି ଖୋଜେ 

ଭୟ, ଭ୍ରାନ୍ତି ଓ ଭୋକକୁ ପୋଛିଦେଇ

ଭୁକ୍ତି, ମୁକ୍ତି ଓ ପ୍ରୀତି ଭରିଦିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics